କେନ୍ଦ୍ରାପଡାର ପ୍ରତି ବ୍ଲକକୁ ମିଳିବ Ventilator ଯୁକ୍ତ Ambulance : ମୁଖ୍ୟମନ୍ତ୍ରୀ

କରୋନା ନିୟନ୍ତ୍ରଣରେ କେନ୍ଦ୍ରାପଡାର ଭଲ କାମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ

ଭୁବନେଶ୍ୱର,ଏନ୍ଏନ୍ଏସ୍: କେନ୍ଦ୍ରାପଡ଼ା ଜିଲ୍ଲାରେ କରୋନା ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ତଥା ବିଭିନ୍ନ ପଞ୍ଚାୟତର ସରପଞ୍ଚମାନେ ଯେଭଳି ନିଷ୍ଠା ଓ ଉତ୍ସର୍ଗୀକୃତ ଭାବରେ ସେବା କରୁଛନ୍ତି, ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ  ପ୍ରଶଂସା କରିବା ସହିତ ସେମାନଙ୍କ ଭଲ କାମ ପାଇଁ ଧନ୍ୟବାଦ ଜଣାଇଥିଲେ। ଆଜି ଭିଡିଓ କନଫରେନସିଂ ଜରିଆରେ ଜିଲ୍ଲାର ବିଧାୟକ ଓ ସରପଞ୍ଚମାନଙ୍କ ସହିତ କରୋନା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ କଥା ମନେପକାଇ କହିଥିଲେ ଯେ ଯଦି ବିଜୁବାବୁ ଆଜି ବଞ୍ଚିଥାନ୍ତେ, ତେବେ ସରପଞ୍ଚମାନେ ଲୋକଙ୍କ ପାଇଁ ଯେଭଳି ଭଲ କାମ କରୁଛନ୍ତି, ତାହା ଦେଖି ବହୁତ ଖୁସି ହୋଇଥାନ୍ତେ। ସେମାନଙ୍କର ଏହି ଭଲ କାମ ପାଇଁ ସେ ଗର୍ବିତ ବୋଲି ମତଦେଇ କରୋନା ବିରୋଧରେ ଚାଲିଥିବା ଏହି ଲମ୍ବା ଲଢେଇରେ ଆଗକୁ ସତର୍କ ରହି କାମ କରିବାକୁ ସରପଞ୍ଚମାନଙ୍କୁ ପରାମର୍ଶ ଦେଇଥିଲେ।
ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲାରେ କରୋନା ସଂକ୍ରମଣରୁ ଆରୋଗ୍ୟ ହାର ରାଜ୍ୟରେ ସର୍ବାଧିକ ୭୭ ପ୍ରତିଶତ ରହିଥିବାବେଳେ ମୃତ୍ୟୁ ହାର ୦.୩୩ ପ୍ରତିଶତ ରହିଛି, ଯାହା କି ସାରା ଦେଶରେ ସର୍ବନିମ୍ନ । ସେହିପରି କେନ୍ଦ୍ରାପଡାରେ ସଂକ୍ରମଣ ହାର ୨.୨୫ ପ୍ରତିଶତ ଅଟେ, ଯାହା କି ରାଜ୍ୟରେ ସବୁଠାରୁ କମ୍। ସରପଞ୍ଚମାନଙ୍କୁ ଦିଆଯାଇଥିବା ଜିଲ୍ଲାପାଳ କ୍ଷମତାକୁ ସେମାନେ ଦକ୍ଷତାର ସହ କରୋନା ନିୟନ୍ତ୍ରଣରେ ଉପଯୋଗ କରୁଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇବା ସହ ସେମାନଙ୍କ ଉପରେ ତାଙ୍କର ଭରସାକୁ ଆହୁରି ଦୃଢ କରିଛି ବୋଲି ମତ ଦେଇଥିଲେ। କେନ୍ଦ୍ରାପଡାକୁ ଏହି ସମୟ ମଧ୍ୟରେ ଅନ୍ୟ ରାଜ୍ୟରୁ ପ୍ରାୟ ୫୫ ହଜାର ଭାଇଭଉଣୀ ଫେରିଥିଲେ ମଧ୍ୟ ସମସ୍ତଙ୍କ ସହଯୋଗରେ କରୋନା ପରିଚାଳନା କାର୍ଯ୍ୟ ଯେଭଳି ଜାରି ରହିଛି, ସେଥିରେ କେନ୍ଦ୍ରାପଡା ଓଡିଶାରେ ଏକ ଆଦର୍ଶ ଜିଲ୍ଲା ହୋଇପାରିଛି ।

କେନ୍ଦ୍ରାପଡା ପ୍ରତି ସେ ସବୁବେଳେ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଆସିଛନ୍ତି ଏବଂ କେନ୍ଦ୍ରାପଡା ଜିଲ୍ଲାବାସୀଙ୍କ ସୁବିଧା ପାଇଁ ଜିଲ୍ଲାର ପ୍ରତି ବ୍ଲକକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଗୋଟିଏ ଲେଖାଏଁ Ventilatorଯୁକ୍ତ Ambulance  ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ । ସେହିପରି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହୋଇଥିବା ସବୁ ଯୋଗ୍ୟ ହିତାଧିକାରୀଙ୍କୁ ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରି ତୁରନ୍ତ ରେସନ କାର୍ଡ ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ଲଘୁଚାପଜନିତ ବର୍ଷା ଜାରି ରହିଥିବାକୁ କେନ୍ଦ୍ରାପଡା ଜିଲ୍ଲାର ଆବଶ୍ୟକତାକୁ ଭିତ୍ତିକରି ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବ୍ରାହ୍ମଣୀ ଓ ବୈତରଣୀ ନଦୀରେ ବର୍ତ୍ତମାନ ବଡ ଧରଣର ବନ୍ୟାର ଆଶଙ୍କା ନାହିଁ ଏବଂ ଜଳାବଦ୍ଧ ସମସ୍ୟା ଦୂର କରିବାପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ କମିଶନର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।  କେନ୍ଦ୍ରାପଡାରେ କରୋନା ନିୟନ୍ତ୍ରଣ ସହିତ ବିକାଶ କାର୍ଯ୍ୟ ଜାରି ରଖିବାରେ କୌଣସି ଅସୁବିଧା ନାହିଁ ବୋଲି ଆଲୋଚନାରେ ମୁଖ୍ୟ ଶାସନ ସଚିବ ସ୍ପଷ୍ଟ କରି ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବିଧାୟକ ଏବଂ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ଲୋକପ୍ରତିନିଧିମାନେ ଭାଗ ନେଇ ସେମାନଙ୍କର ମତାମତ ଦେଇଥିଲେ। ଏଥିରେ ଉନ୍ନୟନ କମିଶନର, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, କେନ୍ଦ୍ରାପଡାର Covid Observer,, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।