ଓଡ଼ିଶାରେ ପହଞ୍ଚିଲେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଓଡିଶାରେ ଆସି ପହଞ୍ଚିଛନ୍ତି। ଦିନ ୧୧ଟା ୧୫ ମିନିଟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟପାଳ ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନ ବନ୍ଦରରେ ଉପସ୍ଥିତ ଥିଲେ। ସେଠାରୁ ସେ ସ୍ୱତନ୍ତ୍ର କାରକେଡରେ ରାଜଭବନ ଗସ୍ତ କରିଛନ୍ତି। ଉପରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଟକ ଓ ଭୁବନେଶ୍ୱରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦ୍ୱୈତ ନଗରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ପାଇଁ ୪୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଏହାବ୍ୟତୀତ ୧୩୦ ଅଫିସରଙ୍କୁ ନିୟୋଜିତ କରାଯାଇଛି। ସମାବର୍ତ୍ତନ ଉତ୍ସବରେ କିପରି କରୋନା କଟକଣା ପାଳନ କରାଯାଇପାରିବ ତାହାର ଯାଞ୍ଚ କରାଯାଇଛି। ଯେଉଁମାନେ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ସେମାନଙ୍କର କୋଭିଡ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି।

ଆଜିଠୁ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ୨ ଦିନିଆ ଓଡିଶା ଗସ୍ତ। ଆଜି ସନ୍ଧ୍ୟାରେ କଟକ ଯାଇ ସାରଳା ଭବନରେ ଆଦିକବି ସାରଳା ଦାସଙ୍କ ୬ ଶହ ତମ ଜୟନ୍ତୀ ଉତ୍ସବରେ ଯୋଗଦେବେ। ସେହିପରି ଆସନ୍ତାକାଲି ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ ତମ ସମାବର୍ତ୍ତନ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଉତ୍ସବରେ ପ୍ରାୟ ୧୮୦ ଜଣ ଛାତ୍ରଛାତ୍ରୀଙ୍କୁ ପିଏଚଡି ସାର୍ଟିଫିକେଟ ପ୍ରଦାନ କରାଯିବ। ସମସ୍ତ ବିଭାଗର ଟପ୍ପରଙ୍କୁ ଦୀକ୍ଷାନ୍ତ ଉତ୍ସବରେ ସ୍ୱର୍ଣ୍ଣ ପଦକ ଦିଆଯିବ। ଉପରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।