ଆସିଲା ଅଗଷ୍ଟ ଗାଇଡଲାଇନ : ଆରମ୍ଭ ହେବ ଅନଲକ ପ୍ରକ୍ରିୟା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସଂକ୍ରମଣ କମିଥିବାରୁ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଏସଆରସି ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ରାଜ୍ୟର ୨୭ଟି ଜିଲ୍ଲାରେ ସଂକ୍ରମଣ ହାର ନଗଣ୍ୟ ରହିଛି। କଟକ, ଖୋର୍ଦ୍ଧା ଓ ପୁରୀରେ ସଂକ୍ରମଣ ହାର ଟିକେ ଅଧିକ ହେଲେ ମଧ୍ୟ ସ୍ଥିତି ଉଦବେଗଜନକ ନୁହେଁ। ଏହାସତ୍ୱେ ଭୁବନେଶ୍ୱର, କଟକ ଓ ପୁରୀରେ ସପ୍ତାହନ୍ତ ସଟଡାଉନ ଲାଗୁ ହେବ।

ସେହିପରି ସାରା ରାଜ୍ୟରେ ଦୋକାନ ବଜାର ରାତି ୮ଟା ଯାଏ ଖୋଲା ହେବ। ପ୍ରତିଦିନ ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ କର୍ଫ୍ୟୁ ଜାରି ହେବ। ସମସ୍ତ ସାମାଜିକ, ଧାର୍ମିକ ଓ ସାମାଜିକ ସମାବେଶ ହେବ ନାହିଁ। ପ୍ରଦର୍ଶନୀ ଓ ବାଣିଜ୍ୟିକ ମେଳା ମଧ୍ୟ ବନ୍ଦ ରହିବ। ସମୁଦ୍ର କୂଳ ଓ ପାର୍କ ଖୋଲା ରହିବ କିନ୍ତୁ ପର୍ଯ୍ୟଟକଙ୍କୁ ଗାଇଡଲାଇନ ମାନିବାକୁ ପଡ଼ିବ। ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ସମସ୍ତ ମଲ୍ ଖୋଲା ରହିବ। ସିନେମା ହଲ, ରେଷ୍ଟୁରାଣ୍ଟ ଓ ବାର ୫୦ ପ୍ରତିଶତ କ୍ଷମତାକୁ ନେଇ ଖୋଲିବ। ହଲ୍, ମଲ୍ ଯାଉଥିବା ପ୍ରାପ୍ତ ବୟସ୍କ ଲୋକଙ୍କ ଟିକା ସାର୍ଟିଫିକେଟ ଜରୁରୀ। ରାସ୍ତାକଡ଼ ଜଳଖିଆ ଦୋକାନରେ ଗ୍ରାହକ ଖାଇପାରିବେ। ସାପ୍ତାହିକ ହାଟ ଖୋଲିବାକୁ ମଧ୍ୟ ଅନୁମତି ମିଳିଛି। ରାଜ୍ୟ ଭିତରେ ବସ୍ ଚଳାଚଳ ହେବ କିନ୍ତୁ ସିଟିଂ କାପାସିଟିରେ ଯାତ୍ରୀ ନେବାକୁ ପଡ଼ିବ। ଧାର୍ମିକ ପୀଠ ଖୋଲିବାକୁ ନେଇ ଜିଲ୍ଲାପାଳମାନେ ନିଷ୍ପତ୍ତି ନେଇପାରିବେ। ଶ୍ରୀମନ୍ଦିର ଓ ଶ୍ରୀଲିଙ୍ଗରାଜ ପ୍ରଶାସନ ଏନେଇ ନିଜେ ନିଷ୍ପତ୍ତି ନେବେ। ଧାର୍ମିକ ପୀଠକୁ ଶ୍ରଦ୍ଧାଳୁମାନେ ଭୋଗ ବା ପ୍ରସାଦ ନେଇପାରିବେ ନାହିଁ। ଯାତ୍ରା ଓ ଅପେରା ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିପାରିବ। ବିବାହ ଓ ଶୁଦ୍ଧି କ୍ରିୟାରେ ପୂର୍ବ ନିୟମ ଲାଗୁ ରହିବ। ନନ୍ଦନକାନନ, ଇଣ୍ଡୋର ଓ ୱାଟର ପାର୍କ ଆଦି ଖୋଲାଯାଇ ପାରିବ।