ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି(ଶନିବାର) ପ୍ରକାଶ ପାଇଛି ପୌର ନିର୍ବାଚନ ଫଳାଫଳ। ନିର୍ବାଚନରେ ବିଜୟ ଲାଭ କରିଥିବା ଦଳୀୟ ପ୍ରତିନିଧିଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେବା ସହ ଜନାଦେଶକୁ ସମ୍ମାନ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ତଥା ଦକ୍ଷତା ବିକାଶ ଏବଂ ଉଦ୍ୟୋମିତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
କେନ୍ଦ୍ରମନ୍ତ୍ରୀ ପ୍ରଧାନ ବିଜେପିକୁ ସମର୍ଥନ କରିଥିବା ରାଜ୍ୟର ମତଦାତାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବା ସହ ନିର୍ବାଚନରେ ଦଳର କାର୍ଯ୍ୟକର୍ତ୍ତାମାନଙ୍କୁ ଅକ୍ଳାନ୍ତ ପରିଶ୍ରମ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଟ୍ୱିଟ୍ କରି ମନ୍ତ୍ରୀ ଲେଖିଛନ୍ତି ଯେ, ଗଣତନ୍ତ୍ରରେ ନିର୍ବାଚନ ଆମକୁ ନିଜ ଅଧିକାର ସାବ୍ୟସ୍ତ କରିବାକୁ ସୁଯୋଗ ଦେବା ସହ ଏକ ସୁସ୍ଥ ସମାଜ ଗଠନ କରିଥାଏ।
“ସବ୍କା ସାଥ-ସବ୍କା ବିକାଶ” ହେଉଛି ମୋଦି ସରକାରଙ୍କ ମୂଳ ମନ୍ତ୍ର। ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ମୋଦି ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟ ମାଧ୍ୟମରେ ଜନସାଧାରଣଙ୍କ ଆସ୍ଥାଭାଜନ ହେବା ପାଇଁ ଚେଷ୍ଟା କରିବୁ। ଦଳୀୟ ସଂଗଠନକୁ ସୁଦୃଢ଼ କରିବା ପାଇଁ ଆମ କାର୍ଯ୍ୟକର୍ତ୍ତାଙ୍କ ପ୍ରୟାସ ଜାରି ରହିବ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି।