ଭୁବନେଶ୍ବର,ଏନ୍ଏନ୍ଏସ୍: ଗାଁ ପରେ ସହରରେ ବି ଉଡିଲା ବିଜେଡିର ବିଜୟ ବାନା । ପ୍ରାୟ ୯୦ ପ୍ରତିଶତ ପଞ୍ଚାୟତରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିବେ ବିଜେଡି ପୌରରେ ବି ସମାନ ସଫଳତା ଦୋହରାଇଛି। ନବୀନ ବ୍ରିଗେଡ ଖାତାକୁ ସର୍ବାଧିକ ୭୩ଟି ଅଧ୍ୟକ୍ଷ ପଦ ଯାଇଥିବାବେଳେ ବିଜେପିକୁ ୧୬ଟି, କଂଗ୍ରେସକୁ ୭ଟି ଓ ଅନ୍ୟମାନଙ୍କୁ ୯ଟି ଆସନ ମିଳିଛି । ଭୁବନେଶ୍ୱର, ବ୍ରହ୍ମପୁର ଓ କଟକ ମହାନଗର ନିଗମରେ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଛି ବିଜେଡି । ସେହିପରି ୩ ମେୟର ପଦ ବିଜେଡି ଖାତାକୁ ଯାଇଛି ।
ପୌର ଫାଇଟ୍ରେ ବିଜେଡିକୁ ମିଳିଛି ବଡ଼ ବିଜୟ । ୧୦୮ ପୌରାଞ୍ଚଳ ମଧ୍ୟରୁ ବିଜେଡି ୯୫ଟି ପୌରାଞ୍ଚଳରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି । କଂଗ୍ରେସ ୪ଟି, ବିଜେପି ୬ଟି ଓ ସ୍ବାଧୀନ ୩ଟି ପୌରାଞ୍ଚଳରେ ସଂଖ୍ୟା ଗରିଷ୍ଠତା ପାଇଛନ୍ତି । ୨୧ଟି ପୌରାଞ୍ଚଳରେ ବିଜେଡିର ଅଧିକ ସଦସ୍ୟ ବିଜୟୀ ହୋଇଥିଲେ ମଧ୍ୟ ଅଧ୍ୟକ୍ଷ ପଦ ହାତେଇଛନ୍ତି ବିଜେପି, କଂଗ୍ରେସ ଓ ସ୍ବାଧୀନ ପ୍ରାର୍ଥୀ । ୮୮ ପ୍ରତିଶତ ଆସନରେ ବିଜେଡିକୁ ସଫଳତା ମିଳିଛି । କଂଗ୍ରେସକୁ ୩.୫, ବିଜେପି ୫.୫ ଓ ସ୍ବାଧୀନ ୩ ପ୍ରତିଶତ ଆସନରେ ସଫଳତା ପାଇଛନ୍ତି ।
ମୋଟ ୧୮୮୯ କାଉନସିଲର ଓ କର୍ପୋରେଟର ପଦ ପାଇଁ ନିର୍ବାଚନ ହୋଇଥିଲା । ୧୨୮୯ ରୁ ଅଧିକ ଆସନରେ ବିଜୟୀ ହୋଇଛି ବିଜେଡି । ସେହିପରି ବିଜେପିକୁ ୩୧୨ରୁ ଅଧିକ ଓ କଂଗ୍ରେସକୁ ୧୪୪ରୁ ଅଧିକ ଆସନ ମିଳିଛି । ୧୩୬ରୁ ଅଧିକ ଆସନରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବିଜେପି, କଂଗ୍ରେସ ଓ ସ୍ବାଧୀନ ପ୍ରାର୍ଥୀ ହାତେଇଥିବା ଅଧ୍ୟକ୍ଷ ପଦରୁ ୨୧ଟି ପୌରାଞ୍ଚଳରେ ବିଜେଡି ଅଧିକ ସଂଖ୍ୟକ ଓ୍ବାର୍ଡ ଜିତିଛି ।