ଭାରତରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ

ଗାନ୍ଧୀନଗର,ଏଜେନ୍ସି: ଭାରତରେ ପହଞ୍ଚିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଆଜି(ଗୁରୁବାର) ସେ ଗୁଜୁରାଟ ଅହମ୍ମଦାବାଦ ଠାରେ ଅବତରଣ କରିଛନ୍ତି । ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ବୋରିସ ଜନସନ । ଅହମ୍ମଦାବାଦରେ ପହଞ୍ଚିବା ପରେ ଆଜି ସନ୍ଧ୍ୟାରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ଆଜି ଓ ଆସନ୍ତାକାଲି(ଶୁକ୍ରବାର) ଦୁଇ ଦିନିଆ ଗସ୍ତରେ ସେ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେବା ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ୟୁକ୍ରେନ ଓ ଋଷିଆ ଯୁଦ୍ଧ ଜାରି ରହିଥିବା ବେଳେ ବ୍ରିଟେନ ପ୍ରଧାନମନ୍ତ୍ରୀ ଭାରତ ଆସିଛନ୍ତି । ତାଙ୍କର ଏହି ଗସ୍ତ ଦୁଇ ଦେଶର ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି କୁହାଯାଉଛି ।

ଗତବର୍ଷ ଗଣତନ୍ତ୍ର ଦିବସରେ ବୋରିସ ଜନସନ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା । ହେଲେ କୋରୋନା ସଙ୍କଟ ଯୋଗୁଁ ତାଙ୍କ ଭାରତ ଗସ୍ତ ବାତିଲ ହୋଇଯାଇଥିଲା । ଆଜିଠୁ ସେ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଗସ୍ତର ଦ୍ବିତୀୟ ଦିନରେ ସେ ଦିଲ୍ଲୀର ରାଜଘାଟରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ସହ ମଧ୍ୟ ଦ୍ବିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟସୂଚୀ ସ୍ଥିର କରାଯାଇଛି । ୨୨ ତାରିଖ ସନ୍ଧ୍ୟାରେ ସେ ଦିଲ୍ଲୀରୁ ଲଣ୍ଡନ ଅଭିମୁଖେ ପ୍ରସ୍ଥାନ କରିବେ ।