ଆଜିଠୁ ଆରମ୍ଭ ହେଉଛି ପିଜି ଓ ୟୁଜି ଛାତ୍ରଛାତ୍ରୀଙ୍କ କ୍ଲାସ, ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜିଠାରୁ ସମସ୍ତ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟରେ କ୍ଲାସରୁମ ପାଠପଢା ଆରମ୍ଭ ହେଉଛି। ୨୦୨୦-୨୧ ଶିକ୍ଷାବର୍ଷର ୟୁଜି ଓ ପିଜିର ଶେଷବର୍ଷ ଛାତ୍ରୀଛାତ୍ରଙ୍କ ପାଇଁ ଏହି ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ହୋଇଛି।

ୟୁଜିସିର ଗାଉଡଲାଇନ ଅନୁସାରେ, ୟୁଜି ୫ମ ଓ ପିଜି ୩ୟ ସେମିଷ୍ଟର ପାଇଁ ଜାନୁୟାରୀ ୧୧ରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ କ୍ଲାସ ଚାଲିବ। ମାର୍ଚ୍ଚ ୧୬ରୁ ୩୧ ପର୍ଯ୍ୟନ୍ତ ଉଭୟ ଶ୍ରେଣୀର ସେମିଷ୍ଟର ପରୀକ୍ଷା ଅନୁଷ୍ଠିତ ହେବ। ଏପ୍ରିଲ ୩୦ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ। ସେହିପରି ଏପ୍ରିଲ ୨ରୁ ଜୁନ୍‌ ୧୫ ପର୍ଯ୍ୟନ୍ତ ୟୁଜି ଓ ପିଜିର ଶେଷ ସେମିଷ୍ଟର କ୍ଲାସ ହେବ। ଜୁନ ୧୬ରୁ ୩୦ ତାରିଖ ପର୍ଯ୍ୟନ୍ତ ୟୁଜି ଓ ପିଜିର ଶେଷ ସେମିଷ୍ଟର ପରୀକ୍ଷା ଅନୁଷ୍ଠିତ ହେବ।

ତେବେ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ନିର୍ଦ୍ଦେଶନାମା ଅନୁସାରେ, ପୂର୍ବଭଳି କ୍ଲାସ୍‌ରେ ସମସ୍ତ ଅଧ୍ୟାୟ ପଢ଼ାଯିବ। ଦରକାର ପଡିଲେ କ୍ଲାସର ଭିଡିଓ ରେକର୍ଡିଂ କରାଯିବ।

କଣ୍ଟେନମେଣ୍ଟ ଜୋନ‌ରେ ରହୁଥିବା ଛାତ୍ରୀଛାତ୍ର, ଶିକ୍ଷକ ଓ କର୍ମଚାରୀମାନେ କଲେଜ କିମ୍ବା ବିଶ୍ୱବିଦ୍ୟାଳୟ ଆସିବେ ନାହିଁ। ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଫେସ୍‌ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ପାଠପଢା ଆରମ୍ଭ ହେବା ପୂର୍ବରୁ ଶ୍ରେଣୀଗୃହକୁ ସାନିଟାଇଜ କରାଯିବା ସହିତ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବ। ଅଧିକ ଛାତ୍ରୀଛାତ୍ର ଥିବା କ୍ଲାସ୍‌କୁ ବିଭାଜିତ କରାଯିବ।

ୟୁଜି, ପିଜି, ପିଏଚ୍‌ଡି, ଏମ୍‌ଫିଲ୍‌ ଛାତ୍ରୀଛାତ୍ର ଓ ରିସର୍ଚ୍ଚ ସ୍କଲାରଙ୍କ ପାଇଁ ରବିବାରଠାରୁ କୋଭିଡ୍‌ ଗାଇଡ଼ଲାଇନ ଅନୁପାଳନ କରି ହଷ୍ଟେଲ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ରବିବାର, ସାଧାରଣତନ୍ତ୍ର ଦିବସ, ସରସ୍ବତୀ ପୂଜା ଓ ଓଡ଼ିଶା ଦିବସରେ କ୍ଲାସ୍‌ ହେବ ନାହିଁ।