ଭୁବନେଶ୍ୱର,ଏନ୍ଏନ୍ଏସ୍ : କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି। ଗଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ି ୨ ଜଣ ଚତୁର୍ଥଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ପୂଜାରାଣୀ ସାହୁ ଓ ଶ୍ରଦ୍ଧା ପ୍ରଧାନ। ପୁଲିସ ମୃତ ଦେହ ଜବତ କରି ଘଟଣାର ତଦନ୍ତ କରୁଥିବା ବେଳେ ସମ୍ପୃକ୍ତ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ସୂଚନା ଅନୁସାରେ, ନରସିଂହପୁର ଥାନା ନୂଆଗଡ଼ ପଞ୍ଚାୟତ ଭୁସ୍କା ଗାଁର ପୂଜାରାଣୀ ଓ ଶ୍ରଦ୍ଧା ସୋମବାର ସକାଳେ ଗାଁ ପୋଖରୀକୁ ଗାଧାଇବାକୁ ଯାଇଥିଲେ। ପୋଖରୀ ତୁଠରେ କିଛି ସମୟ ବୁଲିବା ସହ ଗାଧୋଇ ଥିଲେ। ଗାଧୋଉଥିବା ବେଳେ ହଠାତ ଜଣଙ୍କର ଗୋଡ଼ ଖସିଯାଇଥିଲା। ସେ ପାଣି ଭିତରକୁ ଚାଲିଥିବାରୁ ଅନ୍ୟଜଣେ ତାକୁ ବଞ୍ଚାଇବାକୁ ଯାଇଥିଲା। ଫଳରେ ଦୁହେଁ ପାଣିରେ ବୁଡି ଯାଇଥିଲେ। ସେମାନେ ଚିତ୍କାର ଶୁଣି ପୋଖରୀ ନିକଟରେ କାମ କରୁଥିବା ଲୋକେ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ହସ୍ପିିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ପହଞ୍ଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି। ତେବେ ଦୁଇ ଶିଶୁଙ୍କ ଏଭଳି ଅକାଳ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି।