ଗୁଳି ବିନିମୟରେ ୨ ମାଓବାଦୀ ନିହତ

ଫୁଲବାଣୀ,ବାଲିଗୁଡ଼ା,ଏନ୍ଏନ୍ଏସ୍: ପୁଲିସ ଗୁଳିରେ ଆଜି ଦୁଇ ମାଓବାଦୀ ନିହତ ହୋଇଛନ୍ତି। ତୁମୁଡିବନ୍ଧ ବ୍ଲକ ସିର୍ଲା ପଞ୍ଚାୟତର ଟିକିଲାମିଲି ରାଜସ୍ୱ ଗ୍ରାମ ନିକଟ ସାତେଲି ଜଙ୍ଗଲରେ  ମାଓ କ୍ୟାମ୍ପ ଚାଲିଥିବା ସୂଚନା ପାଇ ଏସଓଜି ଓ ଡିବିଏଫ ଟିମକୁ କୁମ୍ବିଂ ଅପରେସନ ପାଇଁ ଏସପି ନିର୍ଦ୍ଦେଶ ଦେଇଥିଲେ।  ଜଙ୍ଗଲରେ କୁମ୍ବିଂ ଚାଲିଥିବାବେଳେ ମାଓବାଦୀମାନେ ପ୍ରଥମେ ଗୁଳିଚାଳନା କରିଥିଲେ। ଉଭୟଙ୍କ ମଧ୍ୟରେ ବହୁ ସମୟ ଧରି ଗୁଳିବିନିମୟ ହେବାପରେ ମାଓବାଦୀମାନେ ପଳାୟନ କରିଥିଲେ। ପରେ ଟିମ୍ ସର୍ଚ୍ଚ ଅପରେସନ କରି ଦୁଇ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିଥିଲା। ଏଥିରୁ ଜଣେ ମହିଳା ମାଓବାଦୀ ଥିବା ଜଣାପଡ଼ିଛି। ସେମାନଙ୍କ ନିକଟରୁ ଗୋଟିଏ ଇନସାସ୍ ରାଇଫଲ, ୨ଟି ଦେଶୀ ବନ୍ଧୁକ ଓ ଗୋଟିଏ କାର୍ବାଇନ ସମେତ ଅନ୍ୟ ମାଓସାମଗ୍ରୀ ମଧ୍ୟ ମିଳିଛି।