ଟୋକିଓ ଅଲିମ୍ପିକ୍ସରେ ୩ ଭାରତୀୟ କର୍ମକର୍ତ୍ତା, ମେଡିକାଲ ଅଫିସର ଦାୟିତ୍ୱ ନେବେ ଓଡ଼ିଆ ଡାକ୍ତର

ନୂଆଦିଲ୍ଲୀ: ଜାପାନର ରାଜଧାନୀ ଟୋକିଓରେ ଆସନ୍ତା ବର୍ଷ ବିଶ୍ୱର ସର୍ବାଧିକ ଶ୍ରେଷ୍ଠ ଏବଂ ଲୋକପ୍ରିୟ କ୍ରୀଡ଼ା ପ୍ରତିଯୋଗିତା ଗ୍ରୀଷ୍ମକାଳୀନ ଅଲିମ୍ପିକ୍ କ୍ରୀଡ଼ା ଆୟୋଜିତ ହେବ। ଏହାର ସୁପରିଚାଳନା ଲାଗି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ଏଥିରେ ନିଯୁକ୍ତ କରାଯାଉଛି। ହକି ଇଭେଣ୍ଟ ଲାଗି ଓଡ଼ିଆ ଡାକ୍ତର ବିଭୁକଲ୍ୟାଣ ନାୟକଙ୍କୁ ଫେଡେରେସନ ଅଫ୍ ଇଣ୍ଟରନ୍ୟାସନାଲ ହକି(ଏଫଆଇଏଚ୍) ଅଲିମ୍ପିକ୍ ହକି ଇଭେଣ୍ଟର ମେଡିକାଲ ଅଫିସର ଭାବେ ନିଯୁକ୍ତ ଦିଆଯାଇଛି।

ବିଭୁକଲ୍ୟାଣ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଅନ୍ତର୍ଗତ ବିଲଣା ଗ୍ରାମର ବାସିନ୍ଦା। ସେହିପରି ଖେଳ ପରିଚାଳନା ଲାଗି ନିଯୁକ୍ତ ହୋଇଥିବା ଅମ୍ପାୟାରଙ୍କ ମଧ୍ୟରେ ଦୁଇଜଣ ଭାରତୀୟ ରହିଛନ୍ତି। ସେମାନେ ହେଲେ ଜାଭେଦ୍ ସେଖ୍ ଓ ରଘୁପ୍ରସାଦ। ଏମାନଙ୍କ ନିକଟରେ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ମ୍ୟାଚ୍ ପରିଚାଳନା ସହ ଅନ୍ୟାନ୍ୟ କାର୍ଯ୍ୟ କରିବାର ଢେର ଅଭିଜ୍ଞତା ରହିଛି। ନିଯୁକ୍ତ ପାଇଥିବା ଏହି ୩ କର୍ମକର୍ତ୍ତାଙ୍କୁ ହକି ଇଣ୍ଡିଆ ସଭାପତି ମହମ୍ମଦ୍ ମୁସ୍ତାକ ଅଭିନନ୍ଦନ ଜଣାଇଛନ୍ତି। ଅନ୍ତର୍ଜାତୀୟ ହକି ମହାସଂଘ ଭାରତୀୟ କର୍ମକର୍ତ୍ତାଙ୍କ କାର୍ଯ୍ୟଦକ୍ଷତାରେ ବେଶ୍ ପ୍ରଭାବିତ ବୋଲି ମୁସ୍ତାକ ତାଙ୍କ ଅଭିନନ୍ଦନ ବାର୍ତ୍ତାରେ ଜଣାଇଛନ୍ତି।

ଜଣେ ଭାରତୀୟ ଭାବେ ପ୍ରଥମଥର ଲାଗି ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସରେ ଏଫଆଇଏଚ୍ ପକ୍ଷରୁ ମେଡିକାଲ ଅଫିସର ଭାବେ କଲୋନେଲ (ଡାକ୍ତର) ବିଭୁପ୍ରସାଦ ନାୟକ ନିଯୁକ୍ତ ପାଇଥିବାରୁ ଏହା ଓଡ଼ିଶା ଏବଂ ଭାରତୀୟ ହକି ଲାଗି ଗର୍ବର ବିଷୟ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଗତବର୍ଷ ଅନୁଷ୍ଠିତ ହକି ବିଶ୍ୱକପରେ ମଧ୍ୟ ଡାକ୍ତର ନାୟକ ଏଫଆଇଏଚ୍ ପକ୍ଷରୁ ମେଡିକାଲ ଅଫିସର ଭାବେ ନିଯୁକ୍ତି ପାଇଥିଲେ।

ଅନ୍ୟପକ୍ଷରେ ପ୍ରଥମର ଥର ଲାଗି ମଧ୍ୟ ଅଲିମ୍ପିକ୍ ହକିରେ ଭାରତରୁ ଦୁଇ ଜଣ ଅମ୍ପାୟାର ଖେଳ ପରିଚାଳନା ଲାଗି ନିଯୁକ୍ତ ହୋଇଛନ୍ତି। ମୁମ୍ବାଇର ଜାଭେଦ୍ ସେଖ ୨୦୦୨ରେ ନ୍ୟାସନାଲ ସ୍ୱୀକୃତି ପାଇବା ପରେ ଏସିଆ ମହାଦେଶରେ ଆୟୋଜିତ ସମସ୍ତ ବଡ ହକି ଟୁର୍ଣ୍ଣାମେଣ୍ଟ ପରିଚାଳନା କରିବାର ଅଭିଜ୍ଞତା ରଖିଛନ୍ତି।

ଏହା ବ୍ୟତୀତ ସେ ମଧ୍ୟ ୨୦୧୪ ହକି ବିଶ୍ୱକପ୍ ଏବଂ ୨୦୧୬ ରିଓ ଅଲିମ୍ପିକ୍ସରେ ଅମ୍ପାୟାର ଭାବେ କାର୍ଯ୍ୟକରିଥିଲେ। ସେହିପରି ବାଙ୍ଗାଲୋରର ରଘୁ ପ୍ରସାଦ ୨୦୦୩ରେ ଇଣ୍ଟରନ୍ୟାସନାଲ ଅମ୍ପାୟରିଂ କ୍ୟାରିୟର ଆରମ୍ଭ କରିଥିଲେ। ରିଓ ଅଲିମ୍ପିକ୍ସରେ କାର୍ଯ୍ୟକରିବା ସୁଯୋଗ ପାଇ ନଥିବା ରଘୁ ଗତବର୍ଷ ଭୁବନେଶ୍ୱରରେ ଅନୁଷ୍ଠିତ ବିଶ୍ୱକପ୍ ଏବଂ ପ୍ରୋ-ଲିଗରେ ଅମ୍ପାୟାର ଦାୟିତ୍ୱ ସଫଳତାର ସହ ତୁଲାଇଥିଲେ।