୪ ତାରିଖ ଯାଏଁ କାଳବୈଶାଖୀ ସମ୍ଭାବନା, ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,ଏନ୍ଏନ୍ଏସ୍:  ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ଓଡ଼ିଶା। ଝାଞ୍ଜି ଖରା ସାଙ୍ଗକୁ ତତଲା ପବନ ଓ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ଆସନ୍ତା ୨୪ ଘଣ୍ଟାରେ ତାପମାତ୍ରା ଆଉ ୪ ଡିଗ୍ରୀ ବଢ଼ିବା ଆଶଙ୍କା କରାଯାଉଛି। ଆହୁରି ୪ ଦିନ ଯାଏଁ ଅନେକ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବାର ସମ୍ଭାବନା ରହିଥିବାବେଳେ ଗୁରୁବାର ରାଜ୍ୟର ୨୨ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ନୂଆପଡ଼ା, ମାଲକାନାଗିରି, ବଲାଙ୍ଗିର, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଆଦି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ରୋଗାକ୍ରାନ୍ତ, ବୃଦ୍ଧ ଓ ଶିଶୁଙ୍କ ପ୍ରତି ବିଶେଷ ସତର୍କ ଦୃଷ୍ଟି ରଖିବାକୁ ପରାମର୍ଶ ଦିଆଯାଇଛି। ଅନ୍ୟପଟେ ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେବାକୁ ପାଣିପାଗ ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଛି।