ଆଜି ପଖାଳ ଦିବସ

ଭୁବନେଶ୍ବର,ଏନ୍‌ଏନ୍ଏସ୍‌: ଆଜି ବିଶ୍ବ ପଖାଳ ଦିବସ । ଓଡିଆଙ୍କ ପରିଚୟ ହେଉଛି ପଖାଳ । ଖରା, ବର୍ଷାରୁ ଆରମ୍ଭ କରି ୬ ଋତୁରେ ଓଡିଆଙ୍କ ପ୍ରିୟ ଥାଏ ପଖାଳ । ବାହାରୁ ବୁଲି ବୁଲି ଆସିଲେ ମନ ସବୁବେଳ ଖୋଜୁଥାଏ ପଖାଳ କଂସା । ପଖାଳ ଅଛି ତ ଜିନ୍ଦାବାଦ । ସେ ଗରିବ ହେଉ କି ଧନୀ ଖଟି ଖଟି ଆସି ପେଟରେ ଗଣ୍ଡାଏ ପଖାଳ ପଡିଗଲେ ମନ ଶାନ୍ତି । ଗୁଣ୍ଡାଏ ପଖାଳ ସାଙ୍ଗକୁ ଢୋକେ ତୋରାଣି ପିଇଦେଲେ ଯେଉଁ ଶାନ୍ତି ମିଳେ ତାହା କେବଳ ଖାଇବ ଲୋକ ଜାଣେ । ପଖାଳ ଖାଇବାରେ ଯେଉଁ ସନ୍ତୁଷ୍ଟି ରହିଛି ତାହା ଆଉ କେଉଁ ଖାଦ୍ୟରେ ନାହିଁ ।

ରାତି ଦିନ ସବୁ ସମୟରେ ପଖାଳ ଖାଇବା ଓଡିଆଙ୍କ ଦୈନନ୍ଦିନ ଜୀବନର ଅଙ୍ଗ କହିଲେ ଅତ୍ୟୁକ୍ତି ହେବ ନାହିଁ । ପଖାଳ କଂସା ଓଡିଆ ଜାତି ସହ କାଇଁ କେଉଁ କାଳରୁ ଯୋଡି ହୋଇରହିଛି । ଆଜି ବି ଏମିତି ଲୋକ ଅଛନ୍ତି ଯେଉଁମାନଙ୍କ ଦିନ ଆରମ୍ଭ ହୁଏ ପଖାଳରୁ । ଖରାଦିନେ ଆସିଲା ମାନେ ଓଡିଆ ଖୋଜନ୍ତି ପଖାଳ କଂସା । ଧନୀ ଲୋକ ପଖାଳ ସହ ମାଛ ଭଜା ଖାଇ ଅଫିସ ଯାଏତ ଗରିବ ପଖାଳ ସାଙ୍ଗକୁ ମୁନ୍ଦେ ତୋରାଣୀ ପିଇ କାମକୁ ଯାଇଥାଏ । ପଖାଳ ସାଙ୍ଗକୁ ଆଳୁଭତ୍ତା, ବଡିଚୁରା, ଶାଗ ଭଜା, ସଜନା ଛୁଇଁ ସାଙ୍ଗକୁ ଚୁନା ମାଛ ହେଲା କଥା ସରିଲା । ଆହା… କି ଆନନ୍ଦ । ଏମିତି ଖାଦ୍ୟ ଆମ ଓଡିଆମାନେ ପ୍ରତ୍ୟେକ ଦିନ ଖାଇଥାନ୍ତି । କିନ୍ତୁ ଏହି ଦିବସକୁ ସ୍ବତନ୍ତ୍ର କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ରୂପେ ପାଳନ କରାଯାଇଥାଏ ।