ଆଜି ଗୁଡ୍ ଫ୍ରାଇଡେ; ୫୦ରୁ କମ୍‌ ଲୋକଙ୍କୁ ନେଇ ହେବ ଧାର୍ମିକ ରୀତିନୀତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାକୁ ଲାଗିଛି। ଏନେଇ ସର୍ବସାଧାରଣ ସ୍ଥାନରେ ସମାବେଶକୁ ବାରଣ କରିଛନ୍ତି ରାଜ୍ୟ ସରକାର। ଏହି ପରିପ୍ରେକ୍ଷୀରେ ଆଜି ଗୁଡ୍ ଫ୍ରାଇଡେ ପାଳନ ନିମନ୍ତେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ମଧ୍ୟ କଟକଣା ଜାରି ହୋଇଛି। ବିଏମ‌ସି ଅଧୀନ କୌଣସି ସର୍ବସାଧାରଣ ସ୍ଥାନରେ ସମାବେଶ କରିବାକୁ ବାରଣ କରାଯାଇଛି।

ସେହିପରି ଚର୍ଚ୍ଚରେ ୫୦ ଜଣ ଲୋକଙ୍କୁ ନେଇ ଧାର୍ମିକ ରୀତିନୀତି କରିବାକୁ ଅନୁମତି ଦେଇଛି ବିଏମ‌ସି। ପ୍ରତ୍ୟେକଙ୍କ ମଧ୍ୟରେ ୬ ଫୁଟ ସାମାଜିକ ଦୂରତା ରଖି ଧାର୍ମିକ କାର୍ଯ୍ୟ କରାଯାଇପାରିବ। ଚର୍ଚ୍ଚ ଭିତରେ ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଛି। ୬୫ ବର୍ଷରୁ ଅଧିକ ଓ ୧୦ ବର୍ଷରୁ କମ୍ ବ୍ୟକ୍ତିଙ୍କୁ ଭାଗ ନେବାକୁ ବାରଣ କରାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ଗତକାଲି କରୋନା ଗ୍ରାଫ ହଠାତ୍‌ ବଢ଼ିଯାଇ ୪ ଶହ ପାଖାପାଖି ପହଞ୍ଚିଥିଲା। ସେଥି ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୭୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।