ମଣିପୁର ହିଂସା, ପୁଣି ଦୁର୍ବୃତ୍ତଙ୍କ ଗୁଳିମାଡରେ ୩ ମୃତ

ଇମ୍ଫାଲ: ମଣିପୁରରେ ଥମିବାର ନାଁ ନେଉନି ହିଂସା । ଗତ ଦୁଇ ମାସ ହେଲା ହିଂସାର ନିଆଁରେ ଜଳୁଛି ମଣିପୁର । ରବିବାର ବିଷ୍ଣୁପୁର ଜିଲ୍ଲାର ଖୋଜୁମାଣ୍ଟାବୀ ଗ୍ରାମରେ ୩ ଜଣଙ୍କୁ ହତ୍ୟା କରାଯାଇଛି । ଦୁର୍ବୃତ୍ତଙ୍କ ଗୁଳିମାଡରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସମସ୍ତ ମୃତକ ଗ୍ରାମର ସ୍ବେଚ୍ଛାସେବୀ । ଏକ ଅସ୍ଥାୟୀ ବଙ୍କରରେ ସୁରକ୍ଷା ଲାଗି ମୁତୟନ ହୋଇଥିବା ବେଳେ କିଛି ବନ୍ଧୁକଧାରୀ ସେଠାରେ ପହଞ୍ଚି ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଥିଲେ । ଫଳରେ ଘଟଣାସ୍ଥଳରେ ତିନି ସ୍ବେଚ୍ଛାସେବୀଙ୍କ ମୃତ୍ୟୁ ହୋଇଥିଲା । ଗୁଳିମାଡରେ ୫ ଜଣ ଆହତ ହୋଇଥିବା ବେଳେ ଦୁଇ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଅଧିକ ଚିକିତ୍ସା ପାଇଁ ଉଭୟଙ୍କୁ ଇମ୍ଫାଲର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ପୋଲିସ ତରଫରୁ ସୂଚନା ମିଳିଛି । ଘଟଣାସ୍ଥଳରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ କଥାବାର୍ତ୍ତା ହୋଇଥିଲେ ।

ଗତ ମେ’ ମାସ ୩ ତାରିଖରେ ମଣିପୁରରେ ଚୋରାଚାନ୍ଦପୁର ଜିଲ୍ଲାରେ ଅଲ୍ ଟ୍ରାଇବାଲ ଷ୍ଟୁଡେଣ୍ଟ ୟୁନିୟନ ପକ୍ଷରୁ ଏକ ପ୍ରତିବାଦ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏହି ସମୟରେ ଅନୁସୂଚିତ ଜନଜାତି ମାନ୍ୟତା ଦାବିକୁ ନେଇ ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ସାମ୍ପ୍ରଦାୟିକ ହିଂସା ଭାବେ ସମଗ୍ର ରାଜ୍ୟକୁ ବ୍ୟାପି ଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ହିଂସା ଥମିବାର ନା ନେଉନି । ଗତ ଦୁଇ ମାସ ହେଲା ହିଂସାରେ ଜଳୁଛି ମଣିପୁର । ହିଂସାକାଣ୍ଡରେ ପ୍ରାୟ ୧୦୦ରୁ ଅଧିକ ସାଧାରଣ ନାଗରିକ ପ୍ରାଣ ହରାଇଥିବା ବେଳେ ୫୦ ହଜାରରୁ ଅଧିକ ଲୋକଙ୍କୁ ବିଭିନ୍ନ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି । ହିଂସା ଯୋଗୁଁ ଅନେକ ଧନସମ୍ପତ୍ତି, ଘରଦ୍ବାର ପୋଡ଼ି ନଷ୍ଟ ହୋଇଛି ।

କୁକି ଓ ମୈତେଇ ସମ୍ପ୍ରଦାୟ ମଧ୍ୟରେ ସଂରକ୍ଷଣକୁ ନେଇ ଆରମ୍ଭ ହୋଇଥିବା ହିଂସା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ ବୋଲି କୁହାଯାଇଥିଲା । ଏଥିଲାଗି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଉଥିଲା। ନିକଟରେ ରାଜ୍ୟପାଳଙ୍କୁ ଭେଟିଥିଲେ ଏନ ବିରେନ ସିଂ। ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଶେଷରେ ନିଷ୍ପତ୍ତି ବଦଳାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ କିଛି ସମର୍ଥକ ଏକଜୁଟ ହୋଇ ତାଙ୍କୁ ସମର୍ଥନ ଜଣାଇବା ପରେ ସେ ମଣିପୁର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ ଏନ ବିରେନ ।