କେରଳରେ ତୃତୀୟ ଲହରର ସତର୍କ ସୂଚନା

  • କୋଚି: ଦେଶରେ ମହାମାରୀ କରୋନାର ତୃତୀୟ ଲହର ଆରମ୍ଭ ହୋଇ ସାରିଥିବା ଆଶଙ୍କା ପ୍ରକାଶ ପାଇଛି। କିଛି ରାଜ୍ୟରେ ସଂକ୍ରମଣ ହ୍ରାସ ପାଉଥିବାରୁ ଅନଲକ ପ୍ରକ୍ରିୟା ଆପଣାଉଥିବାବେଳେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଏପରି ସତର୍କ ସୂଚନା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କେରଳରେ ତୃତୀୟ ଲହର ସମ୍ଭବତଃ ଆରମ୍ଭ ହୋଇ ସାରିଥିବା କହିଛନ୍ତି। କେରଳରେ ପ୍ରତିଦିନ ସଂକ୍ରମଣ ବଢ଼ୁଥିବାରୁ ଏହା ତୃତୀୟ ୱେଭର ପଦଧ୍ୱନୀ ବୋଲି କୁହାଯାଉଛି। ଅବଶ୍ୟ ରାଜ୍ୟ ସରକାର କିମ୍ବା କେନ୍ଦ୍ର ପକ୍ଷରୁ କେରଳରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଥିବା ଘୋଷଣା କରାଯାଇନାହିଁ। ହେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ରାଜ୍ୟର ସଂକ୍ରମଣ ସ୍ଥିତି ଦେଖି ତୃତୀୟ ଲହରର ସତର୍କ ସୂଚନା ଜାରି କରିଛନ୍ତି। ସେମାନେ କହିଛନ୍ତି ଯେ, ଦ୍ୱିତୀୟ ଲହର ପ୍ରଭାବ ହ୍ରାସ ପାଇବା ପରେ କେରଳରେ ପ୍ଲାଟୋ ସ୍ଥିତି ସୃଷ୍ଟି ହୋଇଥିଲା। ଜୁନ ୪ରୁ ଜୁଲାଇ ଶେଷ ସପ୍ତାହ ଯାଏ ଦୈନିକ ସଂକ୍ରମଣ ୧୨ରୁ ୧୪ ହଜାର ମଧ୍ୟରେ ରହୁଥିଲା। କିନ୍ତୁ ଗତ ୬ ଦିନ ହେଲା ଦୈନିକ ସଂକ୍ରମଣ ୨୨ରୁ ୨୪ ହଜାର ମଧ୍ୟରେ ରହୁଛି। ଏଥିସହ ରାଜ୍ୟର ପଜିଟିଭିଟି ରେଟ୍ ମଧ୍ୟ ୧୨% ଉପରେ। ତେଣୁ ଏସବୁ ତୃତୀୟ ଲହରର ସଙ୍କେତ। କେରଳରେ ୫୦%ରୁ ଅଧିକ ଲୋକଙ୍କ ପ୍ରତି ଏବେ ବି ସଂକ୍ରମଣର ଭୟ ରହିଛି। କାରଣ କେବଳ ୧୭% ଲୋକ ହିଁ ଟିକାର ଦୁଇଟି ଡୋଜ୍ ନେଇଛନ୍ତି। ରାଜ୍ୟରେ ଡେଲ୍ଟା ଭାରିଏଣ୍ଟର ପ୍ରଭାବ ସବୁଠାରୁ ଅଧିକ ରହିଛି। ସଂକ୍ରମିତ ହେଉଥିବା ଲୋକଙ୍କ ମଧ୍ୟରୁ ୯୫%ଙ୍କ ଶରୀରରୁ ଏହି ଭାରିଏଣ୍ଟ ଠାବ ହୋଇଛି। ଏସବୁ ଘଟଣା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।