ମହାମାରୀ ମୁକାବିଲା ପାଇଁ ଜାତିସଂଘରେ ସଂକଳ୍ପ ପାରିତ

ଜେନେଭା, ଏଜେନ୍ସି: ଆମେରିକା ଓ ଇସ୍ରାଏଲର ବିରୋଧ ମଧ୍ୟରେ ଜାତିସଂଘରେ ମହାମାରୀ କୋଭିଡ୍-୧୯ର ମୁକାବିଲା ପାଇଁ ଏକ ସଂକଳ୍ପ ପାରିତ ହୋଇଯାଇଛି। ମୋଟ୍ ୧୯୩ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରୁ ଉପସ୍ଥିତ ଥିବା ୟୁକ୍ରେନ ଓ ହଙ୍ଗେରି ସଙ୍କଳ୍ପ ସପକ୍ଷରେ ମତଦାନରୁ ବିରତ ରହିଥିଲାବେଳେ ସଙ୍କଳ୍ପ ୧୬୯ ଭୋଟରେ ପାରିତ ହୋଇଥିଲା। ବିଶ୍ୱରେ ସବୁଠାରୁ ବଡ ସଙ୍କଟ ଭାବେ ଉଭାହୋଇଥିବା କରୋନା ମହାମାରୀର ନିୟନ୍ତ୍ରଣ ଲାଗି ଆନ୍ତର୍ଜାତିକ ସହଯୋଗ ଏବଂ ଏକତା ଜରୁରୀ ବୋଲି ଏହି ସଙ୍କଳ୍ପରେ ଜାତିସଂଘ ସାଧାରଣ ପରିଷଦ ପକ୍ଷରୁ କୁହାଯାଇଛି। ଏହାର ସଦସ୍ୟ ରାଷ୍ଟ୍ରମାନଙ୍କୁ କୋଭିଡ୍-୧୯ର ମୁକାବିଲା ପାଇଁ ନିରାପଦ, ଉଚ୍ଚ ଗୁଣବତ୍ତା ସମ୍ପନ୍ନ, ପ୍ରଭାବଶାଳୀ ତଥା ଶସ୍ତା ନିଦାନ, ଉପକରଣ ଓ ଟିକାର ସମୟୋଚିତ ଉପଲବ୍ଧ କରାଇବା ଲାଗି ବାଧ୍ୟ କରାଯାଇଛି। ସେହିପରି ମହାମାରୀର ଅନ୍ତ ଘଟାଇବା ଲାଗି ଏହାର ନିୟନ୍ତ୍ରଣ ଓ ସଂକ୍ରମଣ ହ୍ରାସ ପାଇଁ କୌଣସି ନିରାପଦ ଫଳପ୍ରଦ ତଥା ଶସ୍ତା ଟିକା ଉପଲବ୍ଧ ମାତ୍ରେ ବ୍ୟାପକ ଟିକାକରଣ ବିଶ୍ୱ ସାର୍ବଜନୀନ ସ୍ୱାସ୍ଥ୍ୟ ପାଇଁ ହିତକର ହେବ ବୋଲି ସଙ୍କଳ୍ପରେ କୁହାଯାଇଛି। ଏହି ସଙ୍କଳ୍ପ ମହାମାରୀ କୋଭିଡ୍ ପାଇଁ ସମୟୋଚିତ ପଦକ୍ଷେପ ହେବା ସହ ଏଥିରେ ପ୍ରାଣ ହରାଇଥିବା ପୀଡିତମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ହେବ ବୋଲି ଆଫଗାନିସ୍ତାନ ରାଷ୍ଟ୍ରଦୂତ ଆଦିଲା ରାଜ୍ ଓ କ୍ରୋଏସିଆ ପ୍ରତିପକ୍ଷ ଇଭାନ୍ ସିମୋନୋଭିକ୍ କହିଛନ୍ତି।