ବାଲାକୋଟରେ ପୁଣି ଆତଙ୍କୀ ଶିବିର ସକ୍ରିୟ

ଇସଲାମାବାଦ, ଏଜେନ୍ସି: ଭାରତୀୟ ସେନା ପାକିସ୍ତାନର ବାଲାକୋଟରେ ସର୍ଜିକାଲ ଷ୍ଟ୍ରାଇକ୍ କରି ଆତଙ୍କୀ ଶିବିର ଗୁଡିକୁ ଧ୍ୱସଂ କରିଦେବାର ପ୍ରାୟ ୧୮ ମାସ ପରେ ସେଗୁଡିକ ପୁଣି ସକ୍ରିୟ ହୋଇଉଠିଛି। ପାକିସ୍ତାନର ସାମରିକ ଗୁଇନ୍ଦା ସଂସ୍ଥା ଆଇଏସଆଇ ଆଫଗାନିସ୍ତାନରେ ଲଢେଇ କରୁଥିବା ଜୈସ-ଇ-ମହମ୍ମଦର ଟପ୍ କମାଣ୍ଡରମାନଙ୍କୁ ଆତଙ୍କବାଦୀମାନଙ୍କୁ ତାଲିମ୍ ଦେବା ପାଇଁ ବାଲାକୋଟରେ ନିୟୋଜିତ କରିଛି।

ସେମାନଙ୍କୁ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ କରିବା ପାଇଁ ତାଲିମ୍ ଦିଆଯାଉଛି। ମିିଳିଥିବା ରିପୋର୍ଟ ଅନୁଯାୟୀ ବାଲାକୋଟ ଶିବିରରେ ଏକ ନବନିର୍ମିତ କଣ୍ଟ୍ରୋଲ ରୁମ୍ ଏବେ ସକ୍ରିୟ ହୋଇଉଠିଛି। ଭାରତରେ ଅନୁପ୍ରବେଶ କରି ହମ୍ଲା କରିବା ପାଇଁ ଆତଙ୍କବାଦୀମାନଙ୍କୁ ଏହି ଶିବିରଗୁଡିକରେ ତାଲିମ୍ ଦିଆଯାଉଛି। ଅକ୍ଟୋବରରେ ରାଜସ୍ଥାନର ଏକ ସାମରିକ ବେସ୍ ଉପରେ ଆତଙ୍କବାଦୀ ଆକ୍ରମଣ ହେବାକୁ ଯୋଜନା ହୋଇଛି। ପୂର୍ବରୁ ପଠାନକୋଟରେ ହୋଇଥିବା ଆତଙ୍କୀ ହମଲା ଭଳି ଆକ୍ରମଣ କରାଯିବାକୁ ଯୋଜନା କରାଯାଉଛି। ସୁରକ୍ଷା ସଂସ୍ଥାର ରିପୋର୍ଟ ଅନୁଯାୟୀ ଜୈଶ ଆତଙ୍କୀମାନଙ୍କୁ ଦିଲ୍ଲୀରେ ହମଲା କରିବାକୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଆଫଗାନିସ୍ତାନରେ ହମଲା କରିବାର ବିଶେଷ ଅଭିଜ୍ଞତା ଥିବା ଜୈଶ ଆତଙ୍କୀମାନଙ୍କୁ ଏଭଳି ଦାୟିତ୍ୱ ଦିଆଯାଇଛି।

ଏ ସମ୍ପର୍କରେ ସୁରକ୍ଷା ସଂସ୍ଥା ପକ୍ଷରୁ ଅଧିକ ତଥ୍ୟ ଯୋଗାଡ କରାଯାଇ ଏହାର ମୁକାବିଲା ପାଇଁ ବିହିତ ପଦକ୍ଷେପ ନିଆଯାଉଛି। ଏବେ ପାକିସ୍ତାନରେ ୪୦ ହଜାରରୁ ଅଧିକ ଆତଙ୍କବାଦୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୬ ଜଣ ଆତଙ୍କବାଦୀଙ୍କୁ ଜାତିସଂଘ ପକ୍ଷରୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରାଯାଇଛି। ଏହି ଆତଙ୍କବାଦୀଗୁଡିକ ଜମାତ-ଉଦ୍-ଦାବା ଏବଂ ଜୈଶ-ଇ-ମହମ୍ମଦ ଭଳି ଆତଙ୍କୀ ସଙ୍ଗଠନ ସହ ସମ୍ପୃକ୍ତ।