Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଗାନ୍ଧୀବାଦର କଥା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଗାନ୍ଧୀବାଦର କଥା

“ଗାନ୍ଧୀ ଓ ଗାନ୍ଧୀବାଦକୁ ନେଇ ଆଜି ବି ବିଶ୍ୱରେ ଭାରତର ଏକ ସ୍ୱତନ୍ତ୍ର ସମ୍ମାନ ରହିଛି । ଗାନ୍ଧୀ ବ୍ୟକ୍ତିବିଶେଷ ନୁହନ୍ତି ଏକ ବିଚାରଧାରା । ଏହି ବିଚାରଧାରାରେ ଖାଲି ଭାରତ କାହିଁକି ସାରାବିଶ୍ୱ ବି ଅନୁପ୍ରାଣିତ । ଭାରତ ଯେତେବେଳେ ବର୍ଷ ବର୍ଷ ଧରି ପରାଧୀନତାର ଶୃଙ୍ଖଳରେ ବାନ୍ଧି ହୋଇପଡ଼ିଥିଲା, ସେତେବେଳେ ଅହିଂସା ନୀତିରେ ମୁକ୍ତ କରିବାକୁ ହିମାଳୟରୁ କୁମାରିକା ଯାଏ ସାରା ଭୂଖଣ୍ଡର ଲୋକ ମହାତ୍ମାଙ୍କ ପଛରେ ରହି ସ୍ୱାଧୀନତା ପାଇଁ ନିଜର ହକ୍ ଦାବି କରିଥିଲେ । କେବଳ ଭାରତ କାହିଁକି ସାରାବିଶ୍ୱ ଆଜି ବି ଗାନ୍ଧୀବାଦର ବିକଳ୍ପ ଖୋଜି ପାଇପାରିନାହିଁ । ଅର୍ଥନୈତିକ ବୈଷମ୍ୟ ଠାରୁ ପୁଣି ଆନ୍ତର୍ଜାତିକ ସୀମା ବିବାଦ, ରାଷ୍ଟ୍ର ସ୍ୱାଧୀନତାରୁ ବ୍ୟକ୍ତି ସ୍ୱରାଜ ପର୍ଯ୍ୟନ୍ତ ସବୁ କେବଳ ଗାନ୍ଧୀବାଦ ଦ୍ୱାରା ସମାଧାନ କରାଯାଇପାରିବ । ଯଦି ଅହିଂସାରେ କୋଟିଏ ହୃଦୟ ଜୟ କରିହେଉଛି, ତେବେ ହିଂସାର ତରବାରି କଣ ପାଇଁ ଦରକାର । ସେଥିପାଇଁ ତ ସାରାବିଶ୍ୱ ଅହିଂସାର ଜନକ ଗାନ୍ଧୀଙ୍କ ପଦପ୍ରାନ୍ତରେ ମୁଣ୍ଡ ନୁଆଁଇଦେଇଛି । ଗାନ୍ଧୀବାଦରେ ଅନୁପ୍ରାଣିତ ହୋଇ ନେଲ୍ସନ୍ ମାଣ୍ଡେଲା ସାଉଥ୍ ଆଫ୍ରିକାକୁ ଅହିଂସା ମାର୍ଗରେ ସ୍ୱାଧୀନତା ଖାଲି ଆଣିଦେଇନ ଥିଲେ, ନୋବେଲ ଶାନ୍ତି ପୁରସ୍କାର ବି ପାଇଥିଲେ । ଗାନ୍ଧୀବାଦର ଟିକିଏ ଦର୍ଶନ ଯଦି ମାଣ୍ଡେଲାଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେଇପାରିଲା, ସେଭଳି ମହାତ୍ମାଙ୍କ ଦର୍ଶନ ହୁଏତ ମଗଜରେ ଧରିବା ମୁସ୍କିଲ୍ । ସେହି ଗାନ୍ଧୀବାଦକୁ ଜୀବନାଦର୍ଶ କରିଥିବା ଆଉ ଜଣେ ବ୍ୟକ୍ତିତ୍ୱଙ୍କ ସହ ଆଜିର କଥୋପକଥନ । ଗାନ୍ଧୀବାଦକୁ ସାରାବିଶ୍ୱରେ ପ୍ରଚାର ପ୍ରସାର କରିଥିବା ବ୍ୟକ୍ତିତ୍ୱ ଡକ୍ଟର କୁମାର ପ୍ରଶାନ୍ତଙ୍କ ସହ ମନୋଜ କୁମାର ମହାପାତ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାର”

ପ୍ରଶ୍ନ – ଗାନ୍ଧୀଜୀ ଯେଉଁ ଟ୍ରଷ୍ଟିଶିପର କଳ୍ପନା କରିଥିଲେ,ତାହା ବାସ୍ତବରେ କଣ?

ଉ- କେତେଜଣ ଲୋକଙ୍କ ହାତରେ ଦେଶର ପୁଞ୍ଜି ଠୁଳିତ ହେବା କାରଣରୁ ସୂତ୍ରପାତ ହୋଇଥାଏ ପୁଞ୍ଜିବାଦ। ସାଧାରଣ ଜନତା ଏଥିରୁ ଲାଭ ପାଇ ପାରନ୍ତି ନାହିଁ। ସେହିଭଳି ସମାଜବାଦ ରାଷ୍ଟ୍ରରେ ଦେଶ ପାଖରେ ପୁଞ୍ଜି ଠୁଳିତ ହୁଏ ଯାହା ଫଳରେ ସାଧାରଣ ଲୋକେ ଏଥିରୁ ଫାଇଦା ପାଆନ୍ତି ନାହିଁ। ଗାନ୍ଧୀଜୀ କହିଲେ ଏହି ପୁଞ୍ଜିକୁ ରୋକିବାକୁ ହେବ,ସେଥିପାଇଁ ସେ ପୁଞ୍ଜିର ବିକେନ୍ଦ୍ରୀକରଣ କଥା କହିଲେ। ବିକେନ୍ଦ୍ରୀକରଣ କରିବାର ଆବଶ୍ୟକତା ରହିଛି, ଯଦିଓ ପୁଞ୍ଜିକୁ ବିକେନ୍ଦ୍ରୀକରଣ କରିବାର କିଛି ଫର୍ମୂଲା ନାହିଁ । ଏହାର ବ୍ୟବସ୍ଥା ସ୍ୱରୂପ ଉତ୍ପାଦନ କେନ୍ଦ୍ରଗୁଡ଼ିକୁ ବିକେନ୍ଦ୍ରୀକରଣ କରିବାକୁ ପଡ଼ିବ । ପ୍ରତି ଗାଁ ଗାଁରେ ଉତ୍ପାଦନ କେନ୍ଦ୍ରସବୁ ପ୍ରତିଷ୍ଠା କରିବାକୁ ପଡ଼ିବ । ଯେତେବେଳେ ଛୋଟ ଛୋଟ ଉତ୍ପାଦନ କେନ୍ଦ୍ରସବୁ ଗାଁରେ ଗଢ଼ି ଉଠିବ, ସେଥିରେ ଛୋଟ ଛୋଟ ଟେକ୍ନୋଲୋଜି ବ୍ୟବହୃତ ହେବ। ବଡ଼ ଟେକ୍ନୋଲୋଜିର ଆବଶ୍ୟକତା କିଛି ପଡ଼ିବ ନାହିଁ ,ଯଦି ପଡେ ତେବେ କରାଯିବ। କିନ୍ତୁ ଦେଶରେ ବଡ ବଡ ଶିଳ୍ପ ପ୍ରତିଷ୍ଠା ହେବ ନାହିଁ ବୋଲି ମୁଁ କହୁନାହିଁ। ଆବଶ୍ୟକତା ଅନୁଯାୟୀ ହେବ। ଛୋଟ ପୁଞ୍ଜିରେ ଯେଉଁ ଉଦ୍ୟୋଗ ପ୍ରତିଷ୍ଠାହେବ ସେଥିରେ କେତେଜଣ ବ୍ୟକ୍ତି ବା ରାଜ୍ୟର କବ୍ଜା ରହିବନି,ଯଦି ନିୟନ୍ତ୍ରଣ ସେମାନଙ୍କର ରହିବ ତେବେ ପୁଞ୍ଜି ପୁଣି କେନ୍ଦ୍ରୀଭୂତ ହୋଇଯିବ। ଯିଏ ଏହି ଉଦ୍ୟୋଗରେ ପୁଞ୍ଜି ଲଗାଇବ, ସେ ତାର ଆବଶ୍ୟକତା ଅନୁଯାୟୀ ଲାଭାଂଶ ନେଇପାରିବ। ଟାଟା ଯଦି ପୁଞ୍ଜି ଖଟାଇବ,ତାର ଆବଶ୍ୟକତା ଅନୁଯାୟୀ ତାର ଲାଭାଂଶର ଭାଗକୁ ନିଶ୍ଚିତ କରାଯିବ। ତାର ଚଳିବା ପାଇଁ ଗାଡି ଦରକାର ହେବ ବା ଅନ୍ୟାନ୍ୟ ଜିନିଷ ଦରକାର ହେବ, ତାକୁ ଦିଆଯିବ। ଯେଉଁ ଜିନିଷ ତାର ପୁଞ୍ଜିରୁ ବଞ୍ଚିବ ତାକୁ ସୋସାଇଟିକୁ ଦିଆଯିବ। ସୋସାଇଟି ତାକୁ କେମିତି ବିନିଯୋଗ କରିବ,ସେଥିପାଇଁ ଟ୍ରଷ୍ଟ ଗଠନ କରାଯିବ ,ଗାନ୍ଧିଜୀ ଏହାକୁ ଟ୍ରଷ୍ଟସିପ୍ କହନ୍ତି। ଯିଏ ଶ୍ରମଦାନ କରିଛି ଏବଂ ଯିଏ ପୁଞ୍ଜି ଖଟାଇଛି ସେମାନେ ଏହାର ମାଲିକ। ସେମାନେ ନିଷ୍ପତ୍ତି ନେବେ ଏହି ଉଦ୍ୟୋଗର ବୃଦ୍ଧି ବା ବିସ୍ତାର କରାଯିବ କି ନାହିଁ। ଟ୍ରଷ୍ଟଶିପ୍ରୁ ଯେଉଁ ଅର୍ଥ ବଞ୍ଚିବ, ସେହି ଅର୍ଥରେ ଏହାର ବିକାଶ କରାଯାଇ ପାରିବ। ଏଥିରୁ କିଛି ଅର୍ଥ ବି ଶ୍ରମଦାନ କରିଥିବା ଲୋକଙ୍କର କଲ୍ୟାଣ ନିମନ୍ତେ ବିନିଯୋଗ ହେବ। ସମାଜର ବୃହତ୍ତର ଉନ୍ନତି ପାଇଁ ଏହି ଟ୍ରଷ୍ଟଶିପ୍ ସାହାଯ୍ୟ କରିବ। ଗାଁରେ ଏହି କେନ୍ଦ୍ର ଗଢ଼ିଉଠିଲେ
ଅର୍ଥନୀତି ବିଜ୍ଞାନର ଉନ୍ନତି ହୋଇପାରିବ । ଗାଁରେ ବାସ କରୁଥିବା ଲୋକମାନେ ଏଥିରେ ନିୟୋଜିତ ହେବା ଦ୍ୱାରା ବେକାରୀ ସମସ୍ୟା ଲୋପ ପାଇବା ସହିତ ପୁଞ୍ଜିବାଦ ମଧ୍ୟ ଲୋପ ପାଇପାରିବ । ଏହି ଗ୍ରାମ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଯେଉଁ ପୁଞ୍ଜି ଆବଶ୍ୟକତା ପଡ଼ିବ ବଡ଼ ବଡ଼ ପୁଞ୍ଜିପତିମାନେ ନିବେଶ କରିବାକୁ ସମାଜରୁ ପ୍ରତିଶ୍ରୁତି ବି ପାଇବା ଦରକାର । ଗ୍ରାମ ଉଦ୍ୟୋଗ ଗଢ଼ିଉଠିଲା ପରେ ଆୟ ଓ ବିନିଯୋଗ ଗ୍ରାମ ପ୍ରତିଷ୍ଠାନ ହାତରେ ରହିବା ଦରକାର । ଲାଭାଂଶ ପୁଞ୍ଜି ପ୍ରତିଷ୍ଠାନର ବୃଦ୍ଧି କରିବାକୁ ହେଉ ଅବା ଶ୍ରମିକ କିମ୍ବା ଆନୁଷଙ୍ଗିକ କାମରେ ଅର୍ଥ ଲଗାଣ କରାଯାଇପାରିବ । ପୁଞ୍ଜିବାଦକୁ ରୋକିବାକୁ ଏହି ପ୍ରକ୍ରିୟାରେ ଗ୍ରାମୋଦ୍ୟୋଗର ପରିକଳ୍ପନା ସେତେବେଳେ ହିଁ ଗାନ୍ଧୀ କରିଥିଲେ ।

ପ୍ରଶ୍ନ – ଗାନ୍ଧୀଜୀଙ୍କ ବିଚାରାନୁସାରେ ପାୱାର(କ୍ଷମତା) ତଳସ୍ତରରୁ ଉପରସ୍ତରକୁ ଯିବା କଥା କିନ୍ତୁ ଏବେ ଉପରୁ ତଳକୁ କ୍ଷମତା ପ୍ରୟୋଗ ଦ୍ୱାରା ପଞ୍ଚାୟତିରାଜ ବ୍ୟବସ୍ଥା କିଛି ପ୍ରଭାବିତ ହେଉଛି କି ?

ଉ- ହଁ, ପଞ୍ଚାୟତ ନୁହେଁ, ଗାଁ ଉପରେ ଗୁରୁତ୍ୱ ଗାନ୍ଧିଜୀ ଦେଇଛନ୍ତି । ତାଙ୍କର ପଞ୍ଚାୟତର ପରିକଳ୍ପନା ନଥିଲା, ଥିଲା ଗାଁକୁ କିଭଳି ଭାବେ ସଶକ୍ତୀକରଣରେ ସାମିଲ କରିହେବ । ଗ୍ରାମ ସ୍ୱରାଜ ମାଧ୍ୟମରେ ପ୍ରତି ଗାଁରେ ଉତ୍ପାଦନ କେନ୍ଦ୍ର ରହିବା ଦରକାର । ଯଦି ସ୍ୱତନ୍ତ୍ର ହିନ୍ଦୁସ୍ତାନ ଗଠନର ସ୍ୱପ୍ନ ଦେଖାଯାଏ, ତାହେଲେ ସ୍ୱତନ୍ତ୍ରଭାବରେ ଗାଁ ଗୁଡ଼ିକୁ ଏକତା ସୂତ୍ରରେ ବାନ୍ଧିବାକୁ ପଡ଼ିବ । ସେଥିପାଇଁ ଗାଁ ଗୁଡ଼ିକୁ ଏକତ୍ରୀକରଣ କରିବାକୁ ସେ ଚାହୁଁଥିଲେ । ଦେଶ ବା ରାଜ୍ୟଗୁଡ଼ିକ ସଙ୍ଘୀୟ ବ୍ୟବସ୍ଥାରେ ଥିବାରୁ କିଛି କ୍ଷମତା ଦେଶ ହାତରେ ତ ଆଉ କିଛି କ୍ଷମତା ରାଜ୍ୟ ହାତରେ ରହିବା ଫଳରେ କ୍ଷମତା କେନ୍ଦ୍ରୀଭୂତ ହୋଇ ଯାଇଛି । ଫଳରେ ଦେଶର ଜନସାଧାରଣ କ୍ଷମତାଶୂନ୍ୟ ହୋଇ ରହିଲେ । କିନ୍ତୁ ଗାନ୍ଧୀଜୀ କହୁଥିଲେ ଏଭଳି ଭାବରେ କିଛି ହେବା ଉଚିତ, ସମସ୍ତଙ୍କ ହାତରେ କ୍ଷମତା ରହିବା ଦରକାର । ଯେଉଁମାନେ ନିର୍ବାଚିତ ହୋଇ ପଦପଦବୀରେ ସଂଯୋଜକ ହିସାବରେ ରହିବେ, ସେମାନଙ୍କ ହାତରେ କମ୍ କ୍ଷମତା ରହିବା ଦରକାର । ଜନତା ଗ୍ରାମ ସ୍ତରରୁ ପ୍ରାର୍ଥୀ ଚୟନ କରିବେ, ନିର୍ବାଚିତ କରିବେ ଓ ଅଙ୍କୁଶ ମଧ୍ୟ ସେହିମାନଙ୍କ ହାତରେ ରଖିବେ । ସେମାନେ ନିର୍ବାଚିତ କରି ବିଧାନସଭା କିମ୍ବା ଲୋକସଭାକୁ ଯାହାକୁ ପଠାଇବେ ତାଙ୍କର ଅଙ୍କୁଶ ରହିବା ଦରକାର । ସେତେବେଳେ ସେ କ୍ଷମତାର ବିକେନ୍ଦ୍ରୀକରଣ ପାଇଁ ଏଭଳି କଥା ଚିନ୍ତା କରୁଥିଲେ । ଯାହା ଆଜି ଆମେ ଚିନ୍ତା କରି ପାରୁନାହାନ୍ତି। ସେତେବେଳେ ସବୁକଥାକୁ ବିଶ୍ଳେଷଣ କରି ଏହାର ନକ୍ସା ପ୍ରସ୍ତୁତ କରିଥିଲେ । ଗାନ୍ଧୀଜୀ କହୁଥିଲେ, ଯେଉଁମାନେ ଭୋଟ ଦେଇ ନିର୍ବାଚିତ କରିପାରୁଛନ୍ତି, ସେମାନଙ୍କର କଣ ବୁଦ୍ଧି ନାହିଁ କାହାକୁ ପ୍ରାର୍ଥୀରୂପେ ଚୟନ କରିପାରିବେ ? ପ୍ରତ୍ୟେକ ବିଧାନସଭା କ୍ଷେତ୍ରକୁ ଯଦି ଛୋଟ ଛୋଟ ଭାଗରେ ବିଭକ୍ତ କରାଯିବ ଓ ସେମାନଙ୍କ ଭିତରୁ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରି ନିଷ୍ପତ୍ତି ନିଆଯିବ, ତାହେଲେ ଜନସାଧାରଣଙ୍କ ହାତରେ ହିଁ କ୍ଷମତା ରହିପାରିବ ।

ପ୍ର- ଷ୍ଟିଫେନ୍ ହକିନ୍ସଙ୍କର ଅପ୍ରକାଶିତ ଥିବା ଲେଖାରେ ବିଶ୍ୱ ଯେଉଁ ବିକଳ୍ପ ଖୋଜିବାକୁ ଯାଉଛି, ତାହା ଗାନ୍ଧୀଜୀଙ୍କ ଉଦ୍ଦେଶ୍ୟରେ କୁହାଯାଇଛି ବୋଲି ଆପଣ କୁହନ୍ତି। ବାସ୍ତବରେ ତାହା କଣ?

ଉ – ଷ୍ଟିଫେନ୍ ହକିନ୍ସ କହିଛନ୍ତି ଯେ ଆମେ ଯେଉଁ ଜାଗାରେ ବର୍ତ୍ତମାନ ପହଞ୍ଚିଛନ୍ତି, ସେଇଠୁ ୟୁ ଟର୍ଣ୍ଣ ନେବା ଉଚିତ । ଏହା ନହେଲେ ମାନବ ସଭ୍ୟତା ବଞ୍ଚିପାରିବ ନାହିଁ । ଜୀବନରେ ଆମେ ଏତେ ଆଗକୁ ଯାଇଛନ୍ତି, ପଛକୁ ଫେରି ଚାହିଁବା କଷ୍ଟକର ହୋଇପଡ଼ିଛି । ଯଦି ପଛକୁ ଫେରି ଚାହିଁବାକୁ ପଡ଼ିବ ତା ହେଲେ ବିକଳ୍ପ ରୂପେ ଗାନ୍ଧୀଙ୍କୁ ହିଁ ନେବାକୁ ପଡ଼ିବ । ଯୁବାବସ୍ଥାରେ ସେ ଗାନ୍ଧୀଙ୍କୁ ଜାଣି ନଥିଲେ, ତାପରେ ତାଙ୍କର ବ୍ରେନ ଡ଼େଡ଼୍ ହୋଇଯାଇଥିବା କାରଣରୁ ଜାଣିବାର ବି ପ୍ରଶ୍ନ ନଥିଲା । ତଥାପି ସେ ଗାନ୍ଧୀଙ୍କ କଥା କହିବାର ଉଦ୍ଦେଶ୍ୟ ହିଁ ଥିଲା ବିକଳ୍ପ । ସେ କହିଥିଲେ କୌଣସି ବିକଳ୍ପ ଖୋଜିବ ତ ଗାନ୍ଧିଙ୍କୁ ହିଁ ଭେଟିବା ଦରକାର । କାହିଁକି ନା ଗାନ୍ଧୀଜୀ ଅନେକ ବିକଳ୍ପର କଥା କହିଛନ୍ତି। ବିଜ୍ଞାନ ବି ବିକଳ୍ପ ଖୋଜୁଛି, ଯଦି ଦୁନିଆର କାହାକୁ ବିକଳ୍ପ ଖୋଜିବାକୁ ଚାହୁଁଛ, ତାହେଲେ ମୋହନ ଦାସ କରମଚାନ୍ଦ ନୁହେଁ ଗାନ୍ଧୀଜୀଙ୍କୁ ହିଁ ଦେଖିବା ଦରକାର ।

ପ୍ର- କିଛି ଲୋକ କୁହନ୍ତି ଗାନ୍ଧୀ ହିନ୍ଦୁ ଧର୍ମର ବିରୋଧୀ ଥିଲେ?

ଉ – ଗାନ୍ଧୀଜୀଙ୍କର ବିଭିନ୍ନ ଆଡ଼ୁ ମତ ସଂଗ୍ରହ କରାଯାଇପାରେ । ସେ କହୁଥିଲେ ମୁଁ ହିନ୍ଦୁ ନୁହେଁ, ସନାତନୀ ହିନ୍ଦୁ । ସନାତନ ଧର୍ମ ବେଦ, ଉପନିଷଦକୁ ହିଁ ମାନିଥାଏ । ଲୋକ ପଚାରିଲେ, ଆପଣ ବେଦକୁ ତାହେଲେ ମାନନ୍ତି । ସେ କହିଲେ-ହଁ । ବେଦରେ ତ ଜାତିପ୍ରଥା କଥା ରହିଛି, ମହିଳାଙ୍କୁ ଦ୍ୱିତୀୟ ଶ୍ରେଣୀ ନାଗରିକ ହିସାବରେ ନିଆଯାଇଛି(ବାରଣ କରାଯାଇଛି)। ଆପଣ କେମିତି ଏସବୁକୁ ମାନନ୍ତି ଗାନ୍ଧୀଜୀ କହିଲେ – ମୁଁ ଯେଉଁ ବେଦ ଉପନିଷଦ ପଢ଼ିଛି, ସେଥିରେ ଏସବୁ କିଛି ନାହିଁ । କେହି ଯଦି ଏସବୁ ମୋତେ ବେଦ ଓ ଉପନିଷଦରେ ଦେଖାଇଦେବ, ମୁଁ ତାହାକୁ ବି ପରିତ୍ୟାଗ କରିବି । ଏହି କଥା ଦୃଢ଼ତାର ସହ କହିଥିଲେ । ସେ ମଧ୍ୟ କହିଥିଲେ ଯେ ଭାରତୀୟ ପରମ୍ପରାରେ ସ୍ୱଚ୍ଛତା ଅଛି, ସେଥିପାଇଁ ମୁଁ ତାକୁ ମାନେ । ଗାନ୍ଧୀ ସବୁବେଳେ ବେଦ ସହିତ ବିଜ୍ଞାନର ତୁଳନା କରୁଥିଲେ । ଆବଶ୍ୟକ ଥିବା ଜିନିଷକୁ ଗ୍ରହଣକରି ଅନ୍ୟଗୁଡ଼ିକୁ ପରିତ୍ୟାଗ କରୁଥିଲେ । ତେଣୁ ଗାନ୍ଧୀଜୀ ନିଜ ଚିନ୍ତାଧାରା ସହିତ ଏତେ ଦୃଢ଼ ଥିଲେ ଯେ, ହିନ୍ଦୁ ପରମ୍ପରା ପ୍ରତି ତାଙ୍କର ଖୁବ୍ ଆସ୍ଥା ଥିଲା । ଅନ୍ୟ ଧର୍ମ ପ୍ରତି ତାଙ୍କର ସମ୍ମାନ ଓ ଭକ୍ତି ଥିଲା।

ପ୍ର – ଗାନ୍ଧିଜୀଙ୍କର ରାମରାଜ୍ୟ କଣ ? ରାମରାଜ୍ୟ ପ୍ରତିଷ୍ଠା କରିବା କଥା ବିଭିନ୍ନ ଆଡ଼େ ଯାହା କୁହାଯାଇଛି, ତାହା କଣ ?
ଉ- ଯେଉଁଠି ରାମରାଜ୍ୟର କଥା ଉଠିଛି, ତାହା ଦଶରଥଙ୍କ ପୁତ୍ର ରାମଚନ୍ଦ୍ରଙ୍କର କଥା ନୁହେଁ । ଏହା ଏକ ଆଦର୍ଶ ରାଜ୍ୟ ବା ଦେଶର କଥା କହିଛନ୍ତି। ଆମ ଦେଶର ଲୋକେ ଭଲ ରାଜ୍ୟ କହିଲେ ରାମ ରାଜ୍ୟର କଥା ହିଁ ଭାବିିଥାନ୍ତି । ଲୋକମାନେ ଜାଣନ୍ତି ନାହିଁ ଯେ ରାମରାଜ୍ୟ କଣ ? ଲୋକମାନଙ୍କର ଆସ୍ଥା ଯାହା ଅଛି, ସେଇଆ ନୁହେଁ ବରଂ ତାହା ଏକ ଆଦର୍ଶ ସମାଜ । ସେହି ଆଦର୍ଶ ସମାଜର ପରିକଳ୍ପନା ଓ ଗଠନର ଆଧାରକୁ ଗାନ୍ଧୀଜୀ ରାମରାଜ୍ୟ ବୋଲି କହୁଥିଲେ । ରାମରାଜ୍ୟ କଥା କହିଲେ ସେ ଲୋକ କଲ୍ୟାଣକାରୀ ଗ୍ରାମ ସ୍ୱରାଜ କଥା ହିଁ କହୁଥିଲେ ।

ପ୍ର-ଆଜିର ଅଧିକାଂଶ ଯୁବସମାଜ କାହିଁକି ଗାନ୍ଧୀଙ୍କୁ ଭୁଲ୍ ଦୃଷ୍ଟିରେ ଦେଖୁଛନ୍ତି? ଏଥିପାଇଁ ଦାୟୀ କିଏ ?

ଉ- ଏଥିପାଇଁ ତମ ଆମ ଭଳି ଲୋକମାନେ ଦାୟୀ । ଆପଣମାନେ ପିଲାବେଳେ ଗାନ୍ଧୀ କିଏ ବୋଲି ପଚାରିଲା ବେଳେ -ବାପା ମାଆ, ଶିକ୍ଷକ, ଗୁରୁଜନମାନେ ଗାନ୍ଧୀ ଏତେ ବଡ଼ ଲୋକ ଥିଲେ ବୋଲି କହୁଥିଲେ । ଜାତିର ପିତା ବୋଲି ଅଭିହିତ କରୁଥିଲେ । କିନ୍ତୁ ଆଜି ଆମେ ଏପରି ସ୍ତରରେ ଉପନୀତ ହୋଇଛେ, ଯେଉଁଠି ଆମେ ଶିକ୍ଷକ, ଗୁରୁଜନ କିମ୍ବା ପିତାମାତା ହିସାବରେ ଗାନ୍ଧୀଙ୍କ ବାବଦରେ କିଛି ଆମ ପିଲାଙ୍କୁ କହୁନାହାନ୍ତି । ଫଳରେ ଅନ୍ୟମାନେ ଗାନ୍ଧୀଙ୍କୁ ଭୁଲ୍ ବୋଲି ପ୍ରମାଣିତ କରିବାକୁ ପଛେଇ ଯାଉ ନାହାନ୍ତି। ସେଥିପାଇଁ ଆମେ ଆମର ଯୁବବର୍ଗଙ୍କୁ ଦୋଷଦେବା ଅନୁଚିତ । ଏହି ଦୋଷକୁ ଆମେ ନିଜ ଉପରକୁ ନେବା ଦରକାର । କାରଣ ଆମେ ଆମର କର୍ତ୍ତବ୍ୟବୋଧକୁ ଭୁଲିଯାଇଛୁ। ଜାତିର ପିତା ବା ମହାତ୍ମାଙ୍କୁ ଆମେ ଠିକ୍ ଭାବରେ ଉପସ୍ଥାପନା କରିପାରୁ ନାହୁଁ। ଏହି କଥାକୁ ଆଜିକା ପରିସ୍ଥିତିରେ ବୁଝିବା ନିହାତି ଜରୁରୀ । ଆମେ ଯେଉଁ ଜାଗାରେ ନିଜର କର୍ତ୍ତବ୍ୟ ସଂପାଦନା କରୁଛୁ, ସେଠି ଆମେ ଗାନ୍ଧୀଙ୍କ କଥା ନା ସମସାମୟିକ ନେତାଙ୍କ କଥା ପହଞ୍ଚାଇବା, ତାହା ଗୁରୁତ୍ୱପୂର୍ଣ୍ଣ । ନେତାମାନେ ଆଜି ଥିବେ କାଲିକି ନଥିବେ । କିନ୍ତୁ ଗାନ୍ଧୀ ୧୫୦ ବର୍ଷ ହେଲା ଆମ ହୃଦୟରେ ଅଛନ୍ତି । ଗାନ୍ଧୀଙ୍କ ବାବଦରେ ଠିକ୍ କଥା ପହଞ୍ଚେଇବାକୁ ସମସ୍ତେ ଦାୟିତ୍ୱ ନେବା ଦରକାର । ଯାହାଫଳରେ ଗାନ୍ଧୀ ଏକ ମହିମାମୟ ବ୍ୟକ୍ତିତ୍ୱ ହୋଇ ସମସ୍ତଙ୍କ ପାଖରେ ସବୁଦିନ ରହିପାରିବେ । ଶୂନ୍ୟସ୍ଥାନ ରଖିବା ଉଚିତ ନୁହେଁ । କେହି ନା କେହି ଶୂନ୍ୟସ୍ଥାନକୁ ପୂରଣ କରିବେ । ଫଳରେ ଲୋକମାନଙ୍କ ପାଖରେ ଭୁଲ୍ ତଥ୍ୟ ପ୍ରସାରିତ ହେବ ହିଁ ହେବ । ଏହି ଶୂନ୍ୟସ୍ଥାନକୁ ପୂରଣ କରିବାର ଦାୟିତ୍ୱ ଆମର । ସମାଜରେ ଅନେକ ମନ୍ଦ ଭାବନା ପ୍ରବେଶ କରୁଛି, ତାହାର ଆଲୋଚନା/ସମାଲୋଚନା କରିବାକୁ ଅନେକ ଅଛନ୍ତି କିନ୍ତୁ ସଂସ୍କାର ଆଣିବାକୁ କେହି ଚିନ୍ତା କରୁନାହାନ୍ତି । ଦିନେ ଏହି ସମାଜର ଲୋକେ ଗାନ୍ଧୀଙ୍କ ଛାତିରେ ଗୁଳି ଫୁଟାଇଥିଲେ,ଏବେ ସମାଜରେ ସେହି ଲୋକମାନେ ବି ଅଛନ୍ତି ଯେଉଁମାନେ ଦିମାକରେ ଗୁଳି ଫୁଟାଉଛନ୍ତି । ସେହି ଲୋକଙ୍କ ସମାଜର ଦାୟିତ୍ୱବୋଧ ପ୍ରତି କିଛି ଗୁରୁତ୍ୱ ନାହିଁ, ନିଜର କ୍ଷମତା ଓ ସ୍ୱାର୍ଥ ଉପରେ ଗୁରୁତ୍ୱଦେଇ ବଞ୍ଚିଛନ୍ତି। ରାଜନୀତିରେ ସମସ୍ତଙ୍କର କହିବାର ଅଧିକାର ଅଛି, କିନ୍ତୁ ଆମେ କହିବାକୁ ଡ଼଼ରୁଛୁ ।

ପ୍ର-ଆଜିର ଯୁବସମାଜ ଏତେ ସ୍ୱାଥ ର୍ପଛରେ ବା ପଇସା ପଛରେ କାହିଁକି ଗୋଡ଼ାଉଛନ୍ତି?

ଉ- ଯୁବସମାଜ ପଇସା ପଛରେ ଗୋଡ଼ାଉଛି ସତ କିନ୍ତୁ ଆଗରୁ ଯେମିତି ସାମାଜିକ ସ୍ଥିତି ଥିଲା, ଏବେ ସେମିତି ରହିଛି। କେବଳ ମାନସିକତାର ପରିବର୍ତ୍ତନ ଘଟିଛି । ଆମ ସମୟରେ ରୋଜଗାର ଯେତିକି କରୁଥିଲେ ସେତେବେଳେ ପରିବାର ଲୋକେ ଖୁସି ଥିଲେ । ଏବେ ମାନସିକତା ଏମିତି ହୋଇଯାଇଛି, ଆମେ ଆମର ପିଲାଙ୍କୁ ସ୍ୱାର୍ଥ/ପଇସା ପଛରେ ଗୋଡ଼େଇବାକୁ ବାଧ୍ୟ କରୁଛୁ। ଭୁଲ ସେମାନଙ୍କର ନୁହେଁ ବୟୋଜ୍ୟେଷ୍ଠଙ୍କର । ସୁନାହରିଣୀ ପାଇବାକୁ ରାମ କି ଲକ୍ଷ୍ମଣ ତା ପଛରେ ଦୌଡ଼ୁ ନଥିଲେ, ସୀତାଙ୍କର ହିଁ ପାଇବାର ଇଚ୍ଛା ଥିଲା।

ପ୍ର- ବର୍ତ୍ତମାନ ଅର୍ଥନୈତିକ ମାନ୍ଦାବସ୍ଥା ଏମିତି ଯେ ବିଭିନ୍ନ ସଂସ୍ଥା କର୍ମଚାରୀ ଛଟେଇ ଭଳି ପଦକ୍ଷେପ ନେଉଛନ୍ତି, ଏହାର ବିକଳ୍ପ କଣ?

ଉ- ଏହାର ସମାଧାନ କେବଳ ଗ୍ରାମ ଉଦ୍ୟୋଗ ବା କ୍ଷୁଦ୍ର ଶିଳ୍ପକୁ ପ୍ରୋତ୍ସାହନ ଯୋଗାଇବା ଦ୍ୱାରା ସମାଧାନ ହୋଇପାରିବ । ଏହି ବିଚାରକୁ ଆଜିର ପିଲାମାନେ ବୁଝିପାରିବେ ନାହିଁ । ଅଭିଭାବକ କିମ୍ବା ସରକାରୀସ୍ତରରେ ଏହାର ପ୍ରଚାର ପ୍ରସାର କରିବା ସହ ପ୍ରେରଣା ଓ ସହଯୋଗ ଯୋଗାଇବା ଦରକାର । ଏହାଦ୍ୱାରା ଅର୍ଥନୈତିକ ଅଭିବୃଦ୍ଧି ଘଟିବା ସହ ବେକାରୀ ସମସ୍ୟା ମଧ୍ୟ ସୁଧୁରିପାରିବ ।
ପ୍ର – ଗାନ୍ଧୀଜୀ କହିଥିଲେ ଯେ ସ୍ୱାମୀ ବିବେକାନନ୍ଦଙ୍କର ବହି ପଢିବା ଦ୍ୱାରା ତାଙ୍କର ଦେଶଭକ୍ତି ବହୁଗୁଣ ବଢିଯାଇଥିଲା। ଆପଣଙ୍କର ମତ କଣ?
ଉ – ସ୍ୱାମୀ ବିବେକାନନ୍ଦ ଥିଲେ ଗାନ୍ଧୀଜୀଙ୍କର ସମସାମୟିକ। ସେ ତାଙ୍କୁ ଦେଖା କରିବାକୁ ବେଲୁଡ ମଠ ଯାଇଥିଲେ କିନ୍ତୁ ସ୍ୱାମିଜୀ ଅସୁସ୍ଥ ହୋଇ ଅନ୍ୟତ୍ର ଥିବାରୁ ସାକ୍ଷାତ ହେଇପାରି ନଥିଲା। ତାଙ୍କର ବାଣୀ କାଳଜୟୀ ଏବଂ ଗାନ୍ଧୀଜୀ ସ୍ୱାମିଜୀଙ୍କୁ ଖୁବ୍ ଭଲ ପାଉଥିଲେ ଯଦିଓ ତାଙ୍କୁ ସେ ସ୍ୱଚକ୍ଷୁରେ ଦେଖି ନାହାନ୍ତି।
ପ୍ର – ଗାନ୍ଧିଜୀଙ୍କର ୧୫୦ତମ ଜୟନ୍ତୀ ଅବସରରେ ଯୁବପିଢିଙ୍କ ପାଇଁ ଆପଣଙ୍କର ବାର୍ତ୍ତା କଣ?
ଉ – ଗାନ୍ଧୀଜୀ ସ୍ୱୟଂ କହିଥିଲେ ମୋର ଜୀବନ ହିଁ ମୋର ବାର୍ତ୍ତା। ସୁତରାଂ ବର୍ତ୍ତମାନର ଯୁବସମାଜ ଗାନ୍ଧିଜୀଙ୍କୁ ପଢିଲେ ଜାଣିପାରିବେ ଓ ବୁଝିପାରିବେ ତାଙ୍କର ବିଚାରଧାରା।