‘ଭାବିଲି ଲୋକ ମୋତେ ନଡ଼ା ଚୋର କହିବେ’: ବିଷ୍ଣୁ ମୋହନ କବି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ସୁପ୍ରସିଦ୍ଧ ଗାୟକ ବିଷ୍ଣୁ ମୋହନ କବି। ୧୯୮୭ ଜାନୁଆରୀ ୫ରେ ଓଡିଶାର ବାଲେଶ୍ୱରଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ମଧୁସୂଦନ କବି ଏବଂ ମା’ ସ୍ନେହଲତା କବିଙ୍କ ପ୍ରେରଣା ଓ ସହଯୋଗରେ ସଂଗୀତ ଜଗତର ଜଣେ ଚର୍ଚ୍ଚିତ ତାରକା ପାଲଟିପାରିଛନ୍ତି ବିଷ୍ଣୁ। ୭ମ ଶ୍ରେଣୀରେ ପଢ଼ିବା ସମୟରୁ ସଂଗୀତ ଜଗତରେ ପାଦ ରଖିଥିଲେ ମଧ୍ୟ ଏକ ଘରୋଇ ଚ୍ୟାନେଲରେ ପ୍ରସାରିତ ଲୋକପ୍ରିୟ ଶୋ’ର ବିଜେତା ହେବା ପରେ ତାଙ୍କର ଯାତ୍ରା ଆଗକୁ ବଢ଼ିଥିଲା। ରୁମୁକୁଝୁମାନା, ରୁଦ୍ର, ବ୍ୟାଚେଲର, ତୁ ଆଉ ମୁଁ, ତୋ ବାଟ ଚାହିଁଛି ରାତିସାରା, ଟଙ୍କା ତତେ ସଲାମ, ଆମେତ ଟୋକା ଷଣ୍ଢ ମାର୍କା, ଅଗସ୍ତ୍ୟ, ଲଭ୍ ପାଇଁ କୁଛ୍ ଭୀ କରେଗା ଆଦି ଚଳଚ୍ଚିତ୍ରରେ ସେ କାମ କରିଛନ୍ତି। ସ୍ୱର ସାମ୍ରାଜ୍ଞି ପୁରସ୍କାର ସହ ୨୦୧୪ ରେ ଓଡିଆ ଚଳଚ୍ଚିତ୍ର ‘ବ୍ୟାଚେଲର’ ଏବଂ ‘ରୁମୁକୁ ଝୁମାନା’ ପାଇଁ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ପୁରସ୍କାର ହାସଲ କରିଛନ୍ତି। କେବଳ ଓଡ଼ିଆ ନୁହେଁ ହିନ୍ଦୀ ଏବଂ ମରାଠିରେ ଗୀତରେ ମଧ୍ୟ ସେ କଣ୍ଠଦାନ କରି ଶ୍ରୋତାଙ୍କ ଭଲପାଇବା ସାଉଁଟିଛନ୍ତି। ତେବେ ନିତିଦିନ ପକ୍ଷରୁ ଶ୍ରୀ

କବିଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର…
୧) କେମିତି ଅଛନ୍ତି?
ଉତ୍ତର: ଖୁବ୍ ଭଲ ଅଛି । ସବୁବେଳେ ଭଲ ରହିବାକୁ ଚେଷ୍ଟା ବି କରେ। କାମ ଚାଲିଥିଲେ ସବୁ କିଛି ଭଲ।

୨) ଏ ପର୍ଯ୍ୟନ୍ତ ସଂଗୀତର ଯାତ୍ରା କିପରି ରହିଛି?
ଉତ୍ତର: ଗୁରୁ ହରେକୃଷ୍ଣ ବେହେରା କଲେଜ୍ ଅଫ୍ ଆର୍ଟ ଆଣ୍ଡ କଲଚରରୁ ସଂଗୀତ ଶିକ୍ଷା ଆରମ୍ଭ କରିଥିଲି। ପରେ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ପିଜି କରିଥିଲି। ସେତେବେଳେ ବାଲେଶ୍ୱରରେ ମୁଁ ଜଣେ ମେଡ଼ିସିନ୍ ରିପ୍ରେଜେଣ୍ଟଟିଭ୍ ଭାବେ ମଧ୍ୟ କାମ କରୁଥିଲି। ପରେ ପରେ ବିଭିନ୍ନ ଶୋ’ରେ ଅଂଶଗ୍ରହଣ କରିଥିଲି। କ୍ରମେ ଆଲବମ୍ ଓ ପରେ ପରେ ଚଳଚ୍ଚିତ୍ରର ପ୍ରଚ୍ଛଦପଟ ଗାୟକ ଭାବେ ପରିଚୟ ପାଇଥିଲି। ନିଜର ପ୍ରଡ଼କ୍ସନ ହାଉସ ହେବାପରଠାରୁ ଗୀତ କମ୍ପୋଜ କରିବା ମଧ୍ୟ ଜାରି ରହିଛି।

୩) କିଛି ମଜାଳିଆ ଅନୁଭୂତି ପାଠକଙ୍କ ସହ ବାଣ୍ଟିବେ କି?
ଉତ୍ତର: ଥରେ ବାଲେଶ୍ୱରରୁ ଭୁବନେଶ୍ୱରରୁ ଆସିବା ସମୟରେ ମୋର ପର୍ସ ଚୋରି ହେଇଯାଇଥିଲା । ସେଥିପାଇଁ ବିନା ଟିକେଟରେ ଯାତ୍ରା କରୁଥିଲି । ଟିଟି ଆସି ଟିକେଟ ମାଗିଥିଲେ ସେଦିନ ଭାବିଥିଲି ଥାନାରେ ସ୍ଲେଟ୍ ଧରି ଫଟୋ ଉଠାଇବାକୁ ପଡ଼ିବ । ଭାବିଲି ଲୋକ ମୋତେ ନଡ଼ା ଚୋର କହିବେ । କିନ୍ତୁ ସେପରି କିଛି ହୋଇନଥିଲା । ସେ ମୋର ଅସୁବିଧାକୁ ବୁଝିପାରିଥିଲେ । କିନ୍ତୁ ଦଣ୍ଡ ମୁତାବକ ମୋତେ ଗୀତ ଗାଇବାକୁ ପଡ଼ିଥିଲା।

୪) କିପରି ଗୀତ ଗାଇବାକୁ ପସନ୍ଦ କରନ୍ତି ଏବଂ କିପରି ଗୀତ ଶୁଣିବାକୁ ପସନ୍ଦ କରନ୍ତି?
ସବୁ ଗୀତ ଶୁଣିବାକୁ ମୋତେ ଭଲ ଲାଗେ। ଗୀତ ଗାଇବା ସମୟରେ ମଧ୍ୟ କିପରି ସବୁ ଧରଣର ଗୀତ ଗାଇପାରିବି ଚେଷ୍ଟା କରେ। ଭଜନ ହେଉ ବା ଆଧୁନିକ ସବୁ ଗୀତର ମଜା ଭିନ୍ନ ଭିନ୍ନ। ତେବେ ଭିନ୍ନ ଭିନ୍ନ ଭାଷାର ଗୀତ ଗାଇବାକୁ ମୁଁ ବେଶୀ ପସନ୍ଦ କରେ।

୫) ଆଗକୁ ସବୁ ଯୋଜନା ରଖିଛନ୍ତି?
ମୋର ନିଜର ଦୁଇଟି ପ୍ରଡ଼କ୍ସନ ହାଉସ୍ ରହିଛି। ଆଧୁନିକ ଗୀତ ପାଇଁ ବିଷ୍ଣୁମୋହନ କ୍ରିଏସନ ଏବଂ ଭଜନ ପାଇଁ ବିଷ୍ଣୁମୋହନ ଅଫିସିଆଲ। ଏବେ କିଛି ହିନ୍ଦୀ ଗୀତ ଉପରେ କାମ ଚାଲିଛି। ମୋର ମରାଠି ଗୀତକୁ ଶ୍ରୋତା ପସନ୍ଦ କରୁଛନ୍ତି। ପାଟିଲ୍ ଫିଲ୍ମର ଏହି ଗୀତ ଜାତୀୟ ପୁରସ୍କାର ଦୌଡ଼ରେ ସାମିଲ ହୋଇଛି । ତେଣୁ ମରାଠିରେ ଅଧିକ ଗୀତ ରେକର୍ଡ଼ କରିବାକୁ ଇଚ୍ଛା ରହିଛି।

୬)ସଙ୍ଗୀତ ଜଗତରେ ପାଦ ଦେଉଥିବା ନୂଆ କଳାକାରମାନଙ୍କୁ କ’ଣ ବାର୍ତ୍ତା ଦେବେ?
ଯେଉଁମାନେ ସଂଗୀତ ଜଗତକୁ ଆସୁଛନ୍ତି ସେମାନଙ୍କ ପାଇଁ ସଂଗୀତ ସାଧନା ଯେତିକି ଜରୁରୀ ସେମାନେ ସେତିକି ଦୃଢ଼ମାନା ହେବା ଉଚିତ। ସେମାନଙ୍କ କଣ୍ଠସ୍ୱର ଯେମିତି ଘରେ ଘରେ ପହଞ୍ôଚପାରିବ ସେ ଦିଗରେ ସମସ୍ତେ ତତ୍ପର ରହିବା ଦରକାର। ଗୀତ ଗାଇବା ପାଇଁ ଅନ୍ୟକୁ ଯେପରି ଖୋସାମତି କରିବାକୁ ନପଡ଼େ ସେଥିପାଇଁ ନିଜେ ନିଜର ବାଟ ଖୋଜିନେବା ଜରୁରୀ।

୭) କବି ହୁଅନ୍ତୁ କିମ୍ବା ଗାୟିକା ପ୍ରକୃତି ସହିତ ଏମାନଙ୍କର ସ୍ୱତନ୍ତ୍ର ସମ୍ପର୍କ। ତେବେ ଆପଣଙ୍କର ଏନେଇ ଅନୁଭୂତି କ’ଣ ରହିଛି?
ଉ: ପ୍ରକୃତରେ ମୋର ମଧ୍ୟ ପ୍ରକୃତି ସହ ନିବିଡ଼ ସମ୍ପର୍କ। ମୁଁ ସେଥିପାଇଁ ପ୍ରତିବର୍ଷ ବିଭିନ୍ନ ସ୍ଥାନକୁ ବୁଲିବାକୁ ଯାଏ। ପ୍ରକୃତିକୁ ଉପଭୋଗ କରିବା ପାଇଁ। ନିଜେ ମଧ୍ୟ ବିଭିନ୍ନ ଗଛ ଲଗାଇବାକୁ ଭଲପାଏ। ଏ ବର୍ଷ ଲଦାଖ ଯିବାର ଯୋଜନା ରହିଥିଲା କିନ୍ତୁ ଓମିକ୍ରନ ଆସି କବାଟ ଠକ୍‌ଠକ୍ କଲାଣି। ତେଣୁ ଆଗକୁ ପରିସ୍ଥିତି ଦେଖି ପିକନିକ୍ କଥା ଚିନ୍ତା କରିବି।