ଯୁବକଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ, କଶ୍ମୀର ଛାଡ଼ିବାକୁ ଦେଲେ ଧମକ

ଶ୍ରୀନଗର,ଏଜେନ୍ସି: ଦକ୍ଷିଣ କଶ୍ମୀରର କୁଲଗାମ ଜିଲ୍ଲା କାକରାନ ଅଞ୍ଚଳରେ ଆତଙ୍କବାଦୀମାନେ ଜଣେ ବ୍ୟକ୍ତିଙ୍କୁ ଗୁଳି କରିଛନ୍ତି। ଆତଙ୍କବାଦୀମାନେ ବୁଧବାର ସନ୍ଧ୍ୟାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଗୁଳିକରି ଲହୁଲୁହାଣ କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଗୁଳିମାଡ଼ର ଶିକାର ହୋଇଥିବା ବ୍ୟକ୍ତି ସତୀଶ ରାଜପୁତ ବୋଲି ଜଣାପଡ଼ିଛି। ସେ କାକରାନ ନିବାସୀ ଅଟନ୍ତି। ଜଣେ ଅଧିକାରୀଙ୍କ କହିବା ଅନୁସାରେ ସନ୍ଦିଗ୍ଧ ଉଗ୍ରବାଦୀ କାକରାନରେ ଜଣେ ସଂଖ୍ୟାଲଘୁ ସଂପ୍ରଦାୟର ବ୍ୟକ୍ତିଙ୍କୁ ଗୁଳିକରିଛନ୍ତି, ଯାହାଙ୍କର ହସ୍‌ପିଟାଲରେ ମୃତ୍ୟୁ ହୋଇଛି। ସେ କହିଛନ୍ତି ଯେ, ଆକ୍ରମଣକାରୀଙ୍କୁ ଧରିବା ପାଇଁ ଘେରାବନ୍ଦୀ କରାଯାଇଛି।

ପୋଲିସ କହିବା ଅନୁସାରେ ଡ୍ରାଇଭର ସତୀଶଙ୍କ ହତ୍ୟା ନେଇ କଶ୍ମୀର ଫ୍ରିଡମ ଫାଇଟସ ନାମରେ ଏକ ଆତଙ୍କବାଦୀ ସଂଗଠନ ଦାୟୀ ବୋଲି କହିଛି। ବୁଧବାର କୁଲଗାମ ଜିଲ୍ଲାରେ ଏଭଳି ପୋଷ୍ଟର ଲଗାଯାଇଥିବା ଦେଖାଯାଇଥିଲା, ଯେଉଁଥିରେ କି ଅଜଣା ଆତଙ୍କବାଦୀ ସଂଗଠନ ସ୍ଥାନୀୟ ଲୋକଙ୍କୁ ଘାଟୀ ଛାଡ଼ିବାକୁ ଚେତାବନୀ ଦେଇଥିଲେ। କଶ୍ମୀର ପଣ୍ଡିତଙ୍କୁ ଏହି ଚେତାବନୀ ଦିଆଯାଇଛି, ସେମାନେ ଘାଟୀ ଛାଡ଼ନ୍ତୁ।

ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମର ଅବଦୁଲ୍ଲା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି, ସୀତଶ ସିଂହଙ୍କ ମୃତ୍ୟୁ ନେଇ ମୋ ମନରେ ଦୁଃଖ ଜାତ ହୋଇଛି। ଏଭଳି ଆକ୍ରମଣ ଗ୍ରହଣୀୟ ନୁହେଁ।