ରାଜ୍ୟରେ ଆସନ୍ତା ୨ ଦିନରେ ୩-୫ ଡିଗ୍ରୀ ହ୍ରାସ ପାଇବ ତାପମାତ୍ରା, ଘନ କୁହୁଡ଼ି ହେବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରୁ ଶୀତ ଉଭାନ ହୋଇଯାଇଥିବା ବେଳେ ବୁଧବାର ସନ୍ଧ୍ୟାରେ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି। ବିଶେଷ କରି ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିଥିବା ବେଳେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ପାରାଦୀପର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ସେହିପରି ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଝିପିଝିପି ବର୍ଷା ହୋଇଥିଲା। ତେବେ ଏଭଳି ପାଗ ବୁଧବାର ବି କିଛି ସ୍ଥାନରେ ଜାରି ରହିବା ସହିତ ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ଆଶଙ୍କା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଘଡ଼ଘଡ଼ି ଓ ବର୍ଷାକୁ ଦୃଷ୍ଟିରେ ରଖି ଉପରୋକ୍ତ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜୋରି ହୋଇଛି। ଅନ୍ୟପକ୍ଷରେ ଏହି ବର୍ଷା ପରେ ପରେ ପାଗ ବଦଳିବା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ୩-୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବା ସହିତ ଘନକୁହୁଡ଼ି ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ବୁଧବାର ସମୁଦ୍ର ସଂଲଗ୍ନ ଅଞ୍ଚଳଗୁଡ଼ିକରେ ସକାଳ ଓଳି ପାଗ ମେଘୁଆ ରହିବ। ଗୁରୁବାର ରାତି ଓ ଶୁକ୍ରବାର ରାତିରେ ସର୍ବନିମ୍ନ ତାପମାତ୍ରା ବିଭିନ୍ନ ସ୍ଥାନରେ ୨-୩ ଡିଗ୍ରୀ କମିବ। ତେବେ ଉପକୂଳବର୍ତ୍ତି ଅଞ୍ଚଳଗୁଡ଼ିକରେ ତାପମାତ୍ରା କମ୍ କମିବାକୁ ଥିବା ବେଳେ ଉତ୍ତର ଓଡ଼ିଶାରେ ଅପେକ୍ଷାକୃତ ଅଧିକ କମିବ। ସେହିପରି ୩୧ ତାରିଖଠାରୁ ୩ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ଓ ଖରଟାଆ ରହିବାକୁ ଥିବା ବେଳେ ୪ ତାରିଖଠାରୁ ପାଗରେ ପୁଣି ପରିବର୍ତ୍ତନ ଆସିବ। କାରଣ ବର୍ତ୍ତମାନ ଆନ୍ଧ୍ର ଉପରେ ରହିଥିବା ଗୁରୁଚାପ ବଳୟଟି ୪ ତାରିଖ ବେଳକୁ ଓଡ଼ିଶା ସଂଲଗ୍ନ ଅଞ୍ଚଳରେ ରହିବା ଯୋଗୁଁ ରାଜ୍ୟକୁ ବଙ୍ଗୋପ ସାଗରୀୟ ପବନ ବୋହିବ। ଏହା ଫଳରେ ତାପମାତ୍ରା ବୃଦ୍ଧି ପାଇବା ସହିତ ପାଗ ଆଂଶିକ ମେଘୁଆ ରହିବ। ଏହି ସମୟରେ ଖୋର୍ଦ୍ଧଠାରୁ ଦକ୍ଷିଣରେ ଥିବା ଉପକୂଳବର୍ତ୍ତି ଜିଲ୍ଲା ଓ ଏହାର ସଂଲଗ୍ନ ଜିଲ୍ଲାଗୁଡ଼ିକରେ ପାଗ ମେଘୁଆ ରହିବା ସହିତ କେତେକ ସ୍ଥାନରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୨ ତାରିଖଠାରୁ ତପମାତ୍ରା କ୍ରମଶ ବୃଦ୍ଧି ପାଇ ୫ ତାରିଖଠାରୁ ଥଣ୍ଡା କମିବ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି।