ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀରେ ବାର୍ଡ ଫ୍ଲୁ ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହୋଇଛି। ବାର୍ଡ ଫ୍ଲୁ ସଂକ୍ରମଣକୁ ସମୂଳେ ନାଶ କରିବା ଲାଗି ରାଜ୍ୟ ସରକାର ଯୁଦ୍ଧକଳୀନ ଭିତ୍ତିରେ କୁକୁଡ଼ା ନିପାତ ଅଭିଯାନ ଆରମ୍ଭ କରିଛନ୍ତି। ବାର୍ଡ ଫ୍ଲୁ ଭୂତାଣୁ ଯେପରି ପକ୍ଷୀଠାରୁ ପକ୍ଷୀକୁ ଓ ପକ୍ଷୀଠାରୁ ମଣିଷକୁ ସଂକ୍ରମଣ କରି ନପାରିବ, ସେଥିଲାଗି ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ସ୍ୱାସ୍ଥ୍ୟ ବିଭାଗ ଓ ପଶୁ ସମ୍ପଦ ବିଭାଗ ବାର୍ଡ ଫ୍ଲୁ ମୁକାବିଲା ଲାଗି ଉଦ୍ୟମ ଜାରି ରଖିଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଜରୁରିକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା। ବାର୍ଡ ଫ୍ଲୁ ସଂକ୍ରମଣରୁ ବର୍ତ୍ତିବା ଲାଗି ଜନସାଧାରଣଙ୍କ ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଛି। ସ୍ୱାସ୍ଥ୍ୟ ସମସ୍ୟା କ୍ଷେତ୍ରରେ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ନିଆଯିବାର ନିଷ୍ପତ୍ତି ହୋଇଛି। କେନ୍ଦ୍ର ସରକାର ମଧ୍ୟ ଏହି ବାର୍ଡ ଫ୍ଲୁ ଭୂତାଣୁ ନିପାତ ଲାଗି ଗୁରୁତ୍ୱ ଦେଇଛନ୍ତି। ସେଥିଲାଗି ଗୁରୁବାର ଏକ କେନ୍ଦ୍ରୀୟ ଟିମ୍ ସ୍ଥିତି ଅନୁଧ୍ୟାନ କରିବା ଲାଗି ଓଡ଼ିଶା ଆସୁଛନ୍ତି।
ବାର୍ଡ ଫ୍ଲୁ ଭୂତାଣୁ ମଣିଷକୁ ସଂକ୍ରମିତ ନହେବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶରେ ଏ ପର୍ଯ୍ୟନ୍ତ ବାର୍ଡ ଫ୍ଲୁ ସଂକ୍ରମଣରେ କେହି ମଣିଷ ଆକ୍ରାନ୍ତ ହେବାର ନଜିର ନାହିଁ। ବାର୍ଡ ଫ୍ଲୁ ସଂକ୍ରମଣ ରୋକିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ଅଜିତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ପକ୍ଷରୁ ବର୍ତ୍ତମାନ ଓୟୁଏଟି ଫାର୍ମ ଓ ଏହାର ୧ କିମି ପରିଧି ମଧ୍ୟରେ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଛି। ଏଥିରେ ନିୟୋଜିତ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହିତ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ସେମାନଙ୍କୁ ଟାମି ଫ୍ଲୁ ବଟିକା ନିୟମିତ ଖାଇବାକୁ ଦିଆଯାଉଛି। ବାର୍ଡ ଫ୍ଲୁ ସଂକ୍ରମଣ ପ୍ରତିରୋଧ ପାଇଁ ଓୟୁଏଟିର ୧୦ କିମି ପରିଧି ମଧ୍ୟରେ ଘର ଘର ବୁଲି ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସର୍ବେକ୍ଷଣ କରାଯାଉଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି। ବାର୍ଡ ଫ୍ଲୁ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, କ୍ୟାପିଟାଲ୍ ହସ୍ପିଟାଲ ନିର୍ଦ୍ଦେଶକ ଓ ସମସ୍ତ ମେଡିକାଲ୍ କଲେଜ୍ ଓ ଏମସ୍ କର୍ତ୍ତୃପକ୍ଷ ସତର୍କ ରହିବା ସହିତ ଆଇସୋଲେସନ୍ ୱାର୍ଡର ସୁବିଧା ଉପଲବ୍ଧ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
