ତାଲିବାନର ଅନୁରୋଧ, ଭାରତ-ଆଫଗାନିସ୍ତାନ ମଧ୍ୟରେ ହେଉ ବିମାନ ଚଳାଚଳ

ନୂଆଦିଲ୍ଲୀ,ଏଜେନ୍ସି: ଭାରତକୁ ତାଲିବାନର ଅନୁରୋଧ। ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ ପାଇଁ ନିବେଦନ କଲା ତାଲିବାନ। ଏନେଇ ତାଲିବାନ ପକ୍ଷରୁ ଭାରତୀୟ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟକୁ ଏକ ଚିଠି ଲେଖାଯାଇଛି। ତାଲିବାନର ଜଣେ ମନ୍ତ୍ରୀ ଅଲହାଜ ହମିଦୁଲ୍ଲା ଅଖୁନ୍ଦଜାଦା ଡିଜିସିଏ ନିର୍ଦ୍ଦେଶକ ଅରୁଣ କୁମାରଙ୍କୁ ବିମାନ ଚଳାଚଳ ପୁନଃଆରମ୍ଭ ପାଇଁ ଚିଠି ଲେଖିଛନ୍ତି।

ଚିଠିରେ ଅଖୁନ୍ଦଜାଦା ଉଲ୍ଲେଖ କରିଛନ୍ତି, ଯେମିତି ସମସ୍ତେ ଭଲ ଭାବେ ଜାଣିଛନ୍ତି ଯେ ଆମେରିକାର ସ୍ଥାନାନ୍ତରଣ ସମୟରେ କାବୁଲ ବିମାନ ବନ୍ଦରରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ହେଲେ କତାର ପକ୍ଷରୁ ମିଳିଥିବା ଟେକ୍ନିକାଲ ସହାୟତାରେ ପୁଣିଥରେ ଏୟାରପୋର୍ଟ କାର୍ୟ୍ୟକ୍ଷମ ହୋଇଛି। ତେବେ ଏନେଇ ସେପ୍ଟେମ୍ବର ୬ରେ ନୋଟାମ ଜାରି କରାଯାଇଥିଲା।

ଭାରତ ଏବଂ ଆଫଗାନ ବିମାନସେବା ଆରମ୍ଭ କରିବାକୁ ନିବେଦନ କରି ଆଫଗାନ ମନ୍ତ୍ରୀ ଲେଖିଛନ୍ତି, ଏହି ଚିଠିର ଉଦ୍ଦେଶ୍ୟ ଦୁଇ ଦେଶ ମଧ୍ୟରେ ଯାତ୍ରୀବାହୀ ଯାତାୟାତ ବଜାୟ ରଖିବା। ତେଣୁ ଆଫଗାନିସ୍ତାନ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଆପଣକୁ ଏହି ସୁବିଧା କରିବାକୁ ଅନୁରୋଧ କରୁଛି ବୋଲି କହିଛନ୍ତି। ତାଲିବାନର ଏହି ନିବେଦନ ଉପରେ ବିଚାରବିମର୍ଷ କରୁଛି ଭାରତ।