‘ନିଜ ସ୍ୱାର୍ଥ ହାସଲ ପାଇଁ ଲାଗିଛନ୍ତି ବିଜେଡି-ବିଜେପି’

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବିଧାନସଭା ଭିତରେ ହେଉ ବା ବିଧାନସଭା ବାହାରେ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ କଂଗ୍ରେସ ସବୁବେଳେ ଲଢ଼େଇ କରି ଆସୁଛି। ହେଲେ ରାଜ୍ୟରେ କିନ୍ତୁ ବିଜେପି-ବିଜେଡି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଭଳି ଅଛନ୍ତି । ରାଜ୍ୟ ସ୍ୱାର୍ଥକୁ ଦଳି ଦେଇ ନିଜ ସ୍ୱାର୍ଥ ହାସଲ କରିବାରେ ଲାଗି ପଡ଼ିଛନ୍ତି। ଉଭୟ ଦଳ ମିଳିମିଶି କଂଗ୍ରେସର ଦାବି ଓ ପ୍ରତିବାଦକୁ ଚପାଇଦେବାକୁ ରାଜନୈତିକ ଗୋଳିଆପାଣି ସୃଷ୍ଟି କରୁଛନ୍ତି। ରାଜ୍ୟବାସୀଙ୍କ ହକ୍ ପାଇଁ କଂଗ୍ରେସ କେବେ ସାଲିସ୍ କରିନାହିଁ। ବିଜେଡି ହେଉ ବା ବିଜେପି ଯଦି ସାହସ ଅଛି ତାହେଲେ ସାମ୍ନାସାମ୍ନି ତର୍କ ଓ ବିତର୍କ କରିବା ପାଇଁ ଆଗେଇ ଆସନ୍ତୁ ବୋଲି ଓଡ଼ିଶା ପ୍ରଭାରୀ ଡ. ଏ ଚେଲାକୁମାର ଆହ୍ୱାନ କରିଛନ୍ତି।

ରବିବାର କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ଚେଲାକୁମାର କହିଛନ୍ତି ଯେ ପରୀକୁ ହତ୍ୟା କରି ଅଙ୍ଗ ପ୍ରତ୍ୟଙ୍ଗ ତସ୍କରୀ କରାଯାଇଛି। ଏଥିରେ ନୟାଗଡ଼ ମନ୍ତ୍ରୀଙ୍କ ସମ୍ପୃକ୍ତି ରହିଛି। ଏହି ଘଟଣାରେ ପରୀକୁ ନ୍ୟାୟ ଦେବା ପାଇଁ କଂଗ୍ରେସ ପ୍ରଥମେ ଆଗେଇ ଆସିଥିଲା। ଘଟଣା ପରଦିନ ଦଳ ପକ୍ଷରୁ ପୁଲିସ ଅଧିକାରୀ, ଜିଲ୍ଲାପାଳ ଓ ଏସ୍‌ଏଚ୍‌ଆର୍‌ସିଙ୍କୁ ଦାବିପତ୍ର ଦେଇଥିଲା। କେବଳ ସେତିକି ନୁହେଁ, କଂଗ୍ରେସ ବିଧାନସଭାରେ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇଟି ତଦନ୍ତ ପାଇଁ ଦାବି କରିଥିଲା। ମୁଖ୍ୟମନ୍ତ୍ରୀ କଂଗ୍ରେସ ଦଳ ଦାବିକୁ ମାନି ନେଇ ଏସ୍‌ଆଇଟି ପାଇଁ ନିର୍ଦ୍ଦେଶ ଦେଲେ। ପୁଣି ସ୍କୁଲ୍ ବନ୍ଦ ପ୍ରସଙ୍ଗରେ ବି ମୁଣ୍ଡ ନୁଆଁଇଲେ।

ସେହିଭଳି ଦଳ ହାଜତ ମୃତ୍ୟୁ ଓ ଅନ୍ୟାନ୍ୟ ଜନବିରୋଧୀ ବିଲ୍ ଉପରେ ସ୍ୱର ଉଠାଇଥିଲା । ହେଲେ ଏହି ପ୍ରସଙ୍ଗରେ ବିଜେପି ଦଳ ରାଜ୍ୟ ସରକାରଙ୍କ ସହ ହାତ ମିଳାଇଲେ। ଜାଣିଶୁଣି ପରୀ ତଦନ୍ତକୁ ବାଟବଣା କରିବା ପାଇଁ ସିବିଆଇ ତଦନ୍ତ ଦାବି କଲେ। କାରଣ ପୂର୍ବରୁ ବିଜେପି ନେତା ଜୟରାମ ପାଙ୍ଗି ଇତିଶ୍ରୀ ହତ୍ୟା ଘଟଣାରେ ସମ୍ପୃକ୍ତ ଥିଲେ। ସେହି ଘଟଣାରେ ସିବିଆଇ ତଦନ୍ତ କରିଥିଲା । ସିବିଆଇ ଇତିଶ୍ରୀକୁ ନ୍ୟାୟ ଦେଇପାରିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି। ବିଜେଡି-ବିଜେପି ଭିତରେ ଏକ ବୁଝାମଣା ଓ ସୁବିଧାବାଦୀ ରାଜନୀତି ଚାଲିଛି। ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଉଭୟ ଦଳ ରାଜ୍ୟର ମିଳିତ ଭାଗିଦାରୀ ସରକାରରେ ଥିଲେ। ସେ ସରକାର ସମୟରେ ଯେଉଁ ଜମି ଦୁର୍ନୀତି, ଜଳ ଦୁର୍ନୀତି, ଡାଲି ଦୁର୍ନୀତିର କଥା ଉଠିଥିଲା ଆଜି ପର୍ଯ୍ୟନ୍ତ ତା’ର ପର୍ଦାଫାସ୍ କରାଗଲା ନାହିଁ। ବିଜେପିର ଆବଶ୍ୟକ ବିଧାୟକଙ୍କ ସଂଖ୍ୟା ନଥାଇ କିଭଳି ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାକୁ ସାଂସଦ ହୋଇପାରିଲେ? ଏଥିରେ କିଏ ତାଙ୍କୁ ସାହାଯ୍ୟ କଲା ଓ କାହିଁକି କଲା? ୨୦୧୪ ଠାରୁ ନରେନ୍ଦ୍ର ମୋଦୀଙ୍କ ସରକାର ଯେତେ ସବୁ ଜନବିରୋଧି ଆଇନ ବିମୁଦ୍ରୀକରଣ, ଜିଏସ୍‌ଟି, କୃଷକ ବିରୋଧି ଆଇନ ଏ ସବୁକୁ ସର୍ବ ପ୍ରଥମେ କିଏ ସମର୍ଥନ ଜଣାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ ଯେ ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଗୋଟିଏ ଗରିବ ଝିଅଟିର ମୃତ୍ୟୁ ଘଟିଲା। ଗଣମାଧ୍ୟମରୁ ଯାହା ତଥ୍ୟ ଆସିଥିଲା ତାଙ୍କୁ ବିଷ ଦିଆଯାଇ ହତ୍ୟା କରାଯାଇଛି। ନୀଳଗିରିର ବିଧାୟକ ଓ ବାଲେଶ୍ୱର ଜିଲ୍ଲାର ସାଂସଦ ଖୋଦ୍ ବିଜେପିର। ଖାଲି ସେତିକି ନୁହେଁ ସେ ମଧ୍ୟ ଭାରତ ସରକାରଙ୍କ ଜଣେ ମନ୍ତ୍ରୀ ମଧ୍ୟ ଅଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ବିଜେପି ଏ ବାବଦରେ ଥରୁଟିଏ ପ୍ରଶ୍ନ ଉଠାଉ ନାହିଁ। କଂଗ୍ରେସ ଦଳ ଏକ ୫ଜଣିଆ ଫ୍ୟାକ୍ଟଫାଇଣ୍ଡିଂ ଟିମ୍ ସେ ଜାଗାକୁ ପଠାଇ ସାରିଛି। କଂଗ୍ରେସ ପ୍ରତିନିଧି ଦଳ ଝିଅର ବାପା-ମା’ଙ୍କ ସହିତ ଏ ବାବଦରେ ଆଲୋଚନା କରିଛନ୍ତି। ନୀଳଗିରି ପୁଲିସ ଓ ବାଲେଶ୍ୱର ଏସ୍‌ପିଙ୍କୁ ସାକ୍ଷାତ କରି ଦୋଷୀକୁ ଶୀଘ୍ର ଧରିବା ପାଇଁ ଦାବି ଉଠାଇଛନ୍ତି।

କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଲେ ଯେ କଂଗ୍ରେସ ଦଳ ପରୀ ଘଟଣାରେ ଜଣେ ହାଇକୋର୍ଟ ବିଚାରପତିଙ୍କ ତତ୍ତ୍ୱାବଧାନରେ ଏସ୍‌ଆଟି ତଦନ୍ତ କରାଯାଉ ବୋଲି ଦାବି କରିଥିଲା। ସରକାର ମଧ୍ୟ ମାନିନେଇଥିଲେ । କୋର୍ଟ ମନିଟର ଏସ୍‌ଆଇଟି ତଦନ୍ତ ଦ୍ୱାରା ଏସ୍‌ଆଇଟିର କୌଣସି ଅଧିକାରୀ ତଦନ୍ତ ପ୍ରକ୍ରିୟା ବାଟବଣା କରିପାରିବେ ନାହିଁ । ତଦନ୍ତରେ ଏପଟସେପଟ ହେଲେ ବିଚାରପତି ତଦନ୍ତକାରୀ ଅଫିସରକୁ ବାହାର କରିପାରିବେ। କୁହାଯାଉଛି ପରୀ ଘଟଣାରେ କଂଗ୍ରେସ ଦଳ ମ୍ୟାନେଜ୍ ହୋଇଯାଇଛି କାରଣ ବିଜେପି ଦୁଇଟି ଦାବି କରୁଥିଲା ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା। ସିବିଆଇ ଓଡ଼ିଶାରେ ବହୁ ଘଟଣାରେ ତଦନ୍ତ କରୁଥିଲା। ଇତିଶ୍ରୀ ଘଟଣା ଓ ଚିଟ୍‌ଫଣ୍ଡ ଘଟଣା ଏ ସବୁ ସତ୍ତ୍ୱେ ଆଜି କୌଣସି ଘଟଣାରେ ଦୋଷୀକୁ ଦଣ୍ଡ ମିଳିବା ଓ ପୀଡ଼ିତ ପରିବାରକୁ ନ୍ୟାୟ ମିଳିଲା ନାହିଁ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏଆଇସିସି ସମ୍ପାଦକ ରୁଦ୍ର ରାଜୁ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଶରତ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।