ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିବେ ସୁଶିଲ ମୋଦୀ

ପାଟନା,ଏଜେନ୍ସି: ରାଜ୍ୟସଭା ସିଟ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ। ବିହାରରେ ଖାଲିଥିବା ରାଜ୍ୟସଭା ଆସନ ପାଇଁ ସେ ଏନଡିଏ ପକ୍ଷରୁ ନାମାଙ୍କନ ଦାଖଲ କରିବେ।

ରାଜ୍ୟସଭା ନିର୍ବାଚନକୁ ନେଇ ବିଧାନସଭାରେ ଏନଡିଏର ସମସ୍ତ ବିଧାୟକ, ବିଧାନସଭା ପରିଷଦ ସଦସ୍ୟ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହେବ। ଏହା ପରେ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ପାଟନା କମିସନରଙ୍କ କାର୍ଯ୍ୟାଳୟରେ ନିଜ ପତ୍ର ଦାଖଲ କରିବେ ସୁଶିଲ ମୋଦୀ। ନାମାନଙ୍କ ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ବିଜେପି ରାଜ୍ୟ ସଭାପତି ସଞ୍ଜୟ ଜୟସ୍ବାଲ, ଉପମୁଖ୍ୟମନ୍ତ୍ରୀ ତାରା କିଶୋର ପ୍ରସାଦ ଓ ରେନୁ ଦେବୀ ଉପସ୍ଥିତି ରହିବେ। ଏହା ସହ ଏନଡିଏ ସହଯୋଗୀ ଦଳରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଞ୍ଝୀ, ଭିଆଇପି ମୁଖ୍ୟ ତଥା ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ମୁକେଶ ସାହାନୀ ଓ ଅନ୍ୟାନ୍ୟ ନେତା ସାମିଲ ହେବେ।

ଆସନ୍ତା ଡିସେମ୍ବର ୧୪ ତାରିଖ ଦିନ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ। ସୂଚନା ଥାଉକି ବିହାର ଏନଡିଏ ଶାସନ କାଳରେ ଦୀର୍ଘ ବର୍ଷ ହେଲା ଉପମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି ସୁଶିଲ ମୋଦୀ। ଏଥର ତାଙ୍କୁ ବିହାର ନିର୍ବାଚନରେ ଏନଡିଏ ବିଜୟ ହେଲା ପରେ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦିଆନଯାଇ ନୂତନ ପ୍ରାର୍ଥୀଙ୍କୁ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରିଛି ବିଜେପି। ବିହାରରେ ଲୋକ ଜନଶକ୍ତି ପାର୍ଟି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ ବିଳାଶ ପାଶୱାନଙ୍କ ଦେହାନ୍ତ ପରେ ରାଜ୍ୟସଭା ସିଟ ଖାଲି ରହିଛି। ତାଙ୍କ ସ୍ଥାନରେ ସୁଶିଲ ମୋଦୀ ରାଜ୍ୟସଭାକୁ ଯିବେ। ବିହାରରେ ୨୦୨୦ ବିଧାନସଭା ନିର୍ବାଚନରେ ଏନଡିଏ ୧୨୫ ଆସନ ହାସଲ କରି ନୀତିଶ କୁମାରଙ୍କ ନେତୃତ୍ବରେ ସରକାର ଗଠନ କରିଛନ୍ତି।