ଦିଲ୍ଲୀ-ଆଗ୍ରା ରେଳପଥ ପାଇଁ ୪୦୦ ଗଛ କାଟିବାକୁ ସୁପ୍ରିମକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ,ଏଜେନ୍ସି : ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ନେଇ ସୁପ୍ରିମକୋର୍ଟ ବାରମ୍ବାର କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରୁଥିବାବେଳେ ଦିଲ୍ଲୀ-ଆଗ୍ରା ରେଳଲାଇନ ନିର୍ମାଣ ଉଦ୍ଦେଶ୍ୟରେ ସେଠାରେ ଥିବା ୪୫୨ ଗଛକୁ କାଟିଦେବା ପାଇଁ ଅନୁମତି ଦେଇଛନ୍ତି। ଦିଲ୍ଲୀରୁ ମଥୁରା ଦେଇ ଆଗ୍ରା ପର୍ଯ୍ୟନ୍ତ ଅତିରିକ୍ତ ରେଳଲାଇନ ନିର୍ମାଣ କରିବା ନିମନ୍ତେ ୪୫୨ଟି ଗଛ କାଟିବାକୁ ପଡ଼ୁଥିବାରୁ ସମ୍ପୃକ୍ତ କର୍ତ୍ତୃପକ୍ଷ ଏଥିପାଇଁ କୋର୍ଟଙ୍କ ଅନୁମତି ଲୋଡ଼ିଥିଲେ।

ପ୍ରଧାନ ବିଚାରପତି ଏସ୍ଏ ବୋବ୍ଡେ, ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ୍ ଏସ୍ଏ ନଜୀରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ପରିପ୍ରେକ୍ଷୀରେ ଜାତୀୟ ଆଇନ ସେବା ପ୍ରାଧିକରଣର ସଦସ୍ୟ ସଚିବଙ୍କୁ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଆଦେଶ ଦେଇଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପ୍ରତି ତିନିମାସରେ ଖଣ୍ଡପୀଠଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି। ଏଥିସହିତ ବନୀକରଣ ବ୍ୟବସ୍ଥା ଅନୁଯାୟୀ ରେଳଲାଇନ କର୍ତ୍ତୃପକ୍ଷଙ୍କୁ ବୃକ୍ଷରୋପଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ବୃକ୍ଷର ଯତ୍ନ ନେବାକୁ କୁହାଯାଇଛି। ନିକଟରେ ଉତ୍ତରପ୍ରଦେଶ ସରକାର ଆସନ୍ତା ଫେବୃଆରୀ ମାସରେ ଗୋମତୀ ନଦୀକୂଳରେ ଆୟୋଜିତ ହେବାକୁ ଥିବା ପ୍ରତିରକ୍ଷା ଏକ୍ସପୋ ପାଇଁ ୬୩, ୭୯୯ ଗଛ କାଟିବାକୁ ଯାଉଥିବାରୁ ବିଭିନ୍ନ ମହଲରେ ଘୋର ପ୍ରତିବାଦ ମୁଣ୍ଡ ଟେକିଛି।