ଲଖୀମପୁର ହିଂସାର ସାକ୍ଷୀଙ୍କୁ ସୁରକ୍ଷା ଦେବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଲଖୀମପୁର ହିଂସା ମାମଲାରେ ସାକ୍ଷୀଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସାକ୍ଷୀଙ୍କ ବୟାନ ଯଥାଶୀଘ୍ର ମାଜିଷ୍ଟ୍ରେଙ୍କ ସମ୍ମୁଖରେ ରେକର୍ଡ କରିବା ପାଇଁ କୋର୍ଟ କହିଛନ୍ତି। ମାମଲାର ଯାଞ୍ଚ ସମୟରେ ଏସଆଇଟିକୁ ମିଳିଥିବା ଭିଡିଓ ପ୍ରମାଣକୁ ଲ୍ୟାବରେ ପରୀକ୍ଷଣ କରିବାକୁ ମଧ୍ୟ କୋର୍ଟ ପକ୍ଷରୁ କୁହାଯାଇଛି। ଘଟଣାରେ ଭିଡ଼ ଯୋଗୁ ପ୍ରାଣ ହରାଇଥିବା ଶ୍ୟାମ ସୁନ୍ଦର ଓ ସାମ୍ବାଦିକ ରମନ କଶ୍ୟପଙ୍କ ମାମଲାର ହୋଇଥିବା ଯାଞ୍ଚ ରିପୋର୍ଟର ଷ୍ଟାଟସକୁ ଦାଖଲ କରିବାକୁ ୟୁପି ସରକାରଙ୍କୁ ସୁପ୍ରିମକୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ, ଗତ ୨ଟି ଶୁଣାଣୀରେ ୟୁପି ସରକାରଙ୍କ ତରଫରୁ ଗଠିତ ହୋଇଥିବା ଏସଆଇଟି ଯାଞ୍ଚ ଉପରେ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ। କିନ୍ତୁ ଏବେ ଯାଞ୍ଚରେ ଖୁବ୍ ପ୍ରଗତି ହୋଇଥିବା କୋର୍ଟ କହିଛନ୍ତି। ଘଟଣା ସମୟରେ ସେଠାରେ ଉପସ୍ଥିତ ଥିବା ୪-୫ ହଜାର ଲୋକଙ୍କ ଭିଡ଼ରୁ ସାକ୍ଷୀଙ୍କୁ ଚିହ୍ନିବା ଖୁବ୍ ଜରୁରୀ ବୋଲି କୋର୍ଟ କହିଛନ୍ତି। ଅନ୍ୟପଟେ ୬୮ ସାକ୍ଷୀଙ୍କୁ ଚୟନ କରାଯାଇଥିବା ରାଜ୍ୟ ସରକାରଙ୍କ ତରଫରୁ ସୁପ୍ରିମକୋର୍ଟକୁ କୁହାଯାଇଛି। ସେଥିରୁ ୪୩ଜଣଙ୍କୁ ବୟାନ ରେକର୍ଡ ହୋଇସାରଥିବା ୟୁପି ସରକାର କହିଛନ୍ତି।