ମଣିପୁର ମହିଳାଙ୍କ ସହ ବର୍ବରତାକୁ ନେଇ ସରକାରକୁ ସୁପ୍ରିମକୋର୍ଟଙ୍କ କଡ଼ା ପ୍ରଶ୍ନ

ନୂଆଦିଲ୍ଲୀ: ମଣିପୁରର ୨ ମହିଳାଙ୍କୁ ନିବସ୍ତ୍ର କରି ବୁଲାଇବା ଘଟଣାର ସୁପ୍ରିମକୋର୍ଟ ଶୁଣାଣୀ କରିଛନ୍ତି । ଏହି ସମୟରେ ସରକାରଙ୍କୁ ଅନେକ କଡ଼ା ପ୍ରଶ୍ନ କୋର୍ଟଙ୍କ ପକ୍ଷରୁ ପଚରା ଯାଇଛି । ମୁଖ୍ୟ ବିଚାରପତି ଡୀବାଈ ଚନ୍ଦ୍ରଚୂଡ଼ କହିଛନ୍ତି ଯେ, ମେ’ ୪ରେ ଘଟିଥିବା ଘଟଣାର ଏଫଆଇଆର ପୁଲିସ ମେ’ ୧୮ରେ ଦାୟର କରିଥିଲା । କିନ୍ତୁ ୧୪ ଦିନ ପର୍ଯ୍ୟନ୍ତ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନି? ଭିଡିଓ ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା । ସେପର୍ଯ୍ୟନ୍ତ ପୁଲିସ କ’ଣ କରୁଥିଲା? ମହିଳାଙ୍କ ବିରୋଧରେ ଯଦି ୧୦୦ ମାମଲା ଦାୟର ହୁଏ ସିବିଆଇ କ’ଣ ସବୁର ଯାଞ୍ଚ କରିପାରିବ? ଏହାର ଜବାବରେ ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ସଲିସେଟର ତୁଷାର ମେହତା କହିଛନ୍ତି ଯେ, ଯାଞ୍ଚ ଟିମରେ ସିବିଆଇର ଜଣେ ମିଳିତ ଡାୟରେକ୍ଟର ର‌୍ୟାଙ୍କର ମହିଳା ଅଧିକାରୀଙ୍କୁ ରଖାଯାଇଛି ।

ଅନ୍ୟପଟେ ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣୀ କହିଛନ୍ତି ଯେ, ଅଗଷ୍ଟ ୧ ତାରିଖରେ ପ୍ରତ୍ୟେକ ମାମଲା ଉପରେ ତଥ୍ୟ ସହ ସୂଚନା ପ୍ରଦାନ କରାଯିବ ।