ଠକେଇ ଅଭିଯୋଗରେ ସଲମାନଙ୍କୁ ସମନ

  • ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କ ବିରୋଧରେ ଆସିଛି ଠକେଇ ଅଭିଯୋଗ।ଏହି ଅଭିଯୋଗ ଆଣିଛନ୍ତି ଚଣ୍ଡିଗଡ଼ର ଌଣେ ବ୍ୟବସାୟୀ। କେବଳ ସଲ୍ମାନ ନୁହଁନ୍ତି ତାଙ୍କ ଭଉଣୀ ଅଲବିରା ଖାନ୍ଙ୍କ ସମେତ ୭ ଜଣଙ୍କ ନାଁରେ ଚଣ୍ଡିଗଡ଼ ପୁଲିସ ଥାନାରେ ଠକେଇ ଅଭିଯୋଗ ହୋଇଛି। ଘଟଣାରେ ସମସ୍ତଙ୍କୁ ପଚରାଉଚରା କରିବା ପାଇଁ ପୁଲିସ ସମନ କରିଛି। ଗୁରୁବାର ଏହି ସୂଚନା ଦେଇ ପୁଲିସ କହିଛି ଯେ, ସଲମାନ ଓ ତାଙ୍କ ଭଉଣୀଙ୍କ ସହିତ ଯେଉଁମାନଙ୍କୁ ପଚରାଉଚରା ପାଇଁ ଡକାଯାଇଛି ସେମାନଙ୍କ ମଧ୍ୟରେ ବିଙ୍ଗ୍ ହ୍ୟୁମାନ ଫାଉଣ୍ଡେସନ୍ର ସିଇଓ ଓ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି।
    ସଲମାନଙ୍କ ବିରୋଧରେ ଅଭିଯୋଗ କରିଥିବା ବ୍ୟବସାୟୀ ଅରୁଣ ଗୁପ୍ତା ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସେ ୨୦୧୮ରେ ୨-୩ କୋଟି ଟଙ୍କା ଖର୍ଚ୍ଚ କରି ବିଂ ହ୍ୟୁମାନ ଜୁଏଲାରୀ ଷ୍ଟୋର୍ ଆରମ୍ଭ କରିଥିଲେ। ଏହି ସମୟରେ ତାଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା ଯେ ତାଙ୍କୁ ସବୁପ୍ରକାର ସମର୍ଥନ ସହିତ ବ୍ରାଣ୍ଡର ପ୍ରଚାର ପ୍ରସାର ମଧ୍ୟ କରାଯିବ। ହେଲେ ପ୍ରଚାର ପ୍ରସାର କରାଗଲା ନାହିଁ କି ଷ୍ଟୋର ସାମଗ୍ରୀ ମଧ୍ୟ ଯୋଗାଇ ଦିଆଗଲା ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ, କମ୍ପାନୀର ଅଧିକାରୀମାନଙ୍କ ସହିତ ବାରମ୍ବାର ସମ୍ପର୍କ କରିଥିଲେ ବି ସେମାନେ ପ୍ରତିଶ୍ରୁତି ପୂରଣ କରିନଥିଲେ। ତେଣୁ ଏନେଇ ଥାନାରେ ଚଣ୍ଡିଗଡ଼ ଥାନାରେ ଅଭିଯୋଗ କରିଥିଲେ।