ଘରୋଇ ଓଡ଼ିଆ ମାଧ୍ୟମ ସ୍କୁଲ ଲାଗି କଡ଼ାକଡ଼ି ହେଲା ନିୟମ, ଶିକ୍ଷକଙ୍କ ପାଇଁ ଓଟିଇଟି ପାସ୍ ବାଧ୍ୟତାମୂଳକ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଏଣିକି ସରକାରଙ୍କ ଗାଇଡ୍‌ଲାଇନ୍ ଅନୁସାରେ ଶିକ୍ଷକ ନିଯୁକ୍ତ କରିବେ ଘରୋଇ ସ୍କୁଲ। ପୂର୍ବ ଭଳି ଆଉ ମନ ଇଛା ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସ୍କୁଲ କର୍ତ୍ତୃପକ୍ଷ ନିଯୁକ୍ତ କରିପାରିବେ ନାହିଁ। ଏଥିପାଇଁ ସରକାର ଏକ ମାନଦଣ୍ଡ ପ୍ରସ୍ତୁତ କରିଛନ୍ତି। ସରକାରୀ ସ୍କୁଲ ଭଳି ବେସରକାରୀ ସ୍କୁଲ କ୍ଷେତ୍ରରେ ମଧ୍ୟ ଶିକ୍ଷକ, ଶିକ୍ଷୟିତ୍ରୀଙ୍କର ଯୋଗ୍ୟତା ଉପରେ ନଜର ରଖାଯିବ। ନୂଆ ନିୟମ ଅନୁଯାୟୀ, ଓଟିଇଟି ପାସ୍ କରିନଥିବା ବ୍ୟକ୍ତିଙ୍କୁ ଘରୋଇ ସ୍କୁଲମାନେ ଚାକିରି ଦେଇପାରିବେ ନାହିଁ। ଏଥିପାଇଁ ସରକାର ନିୟମକୁ କଡ଼ାକଡ଼ି କରିଛନ୍ତି।

ସରକାରୀ ସ୍କୁଲରେ ନିଯୁକ୍ତି ପୂର୍ବରୁ ଓଟିଇଟି(ଓଡ଼ିଶା ଟିଚର୍ସ ଇଲିଜିବିଲିଟି ଟେଷ୍ଟ୍‌) ପାସ୍ ବାଧ୍ୟତାମୂଳକ ହୋଇଛି। ଏପରିକି ପୂର୍ବରୁ ରାଜ୍ୟର ସରକାରୀ ସ୍କୁଲରେ ଯେଉଁ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଓଟିଇଟି ପାସ୍ ନକରି ନିଯୁକ୍ତି ପାଇଥିଲେ ସେମାନଙ୍କୁ ମଧ୍ୟ ଏହି ପରୀକ୍ଷା ଦେଇ ପାସ୍ କରିବାକୁ ପଡ଼ିବ। ରାଜ୍ୟର ବିଭିନ୍ନ ଘରୋଇ ଓଡ଼ିଆ ମାଧ୍ୟମ ସ୍କୁଲଗୁଡିକରେ ଶିକ୍ଷକ ନିଯୁକ୍ତି ସମୟରେ ଶିକ୍ଷାଗତ ଯୋଗ୍ୟତାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଓଟିଇଟିକୁ ଗୁରୁତ୍ୱ ଦିଆଯାଉ ନାହିଁ। ଏପରିକି ଅନେକ ଘରୋଇ ସ୍କୁଲରେ ମଧ୍ୟ ବିଇଡି ବା ସିଟି ଯୋଗ୍ୟତା ନଥିବା ଶିକ୍ଷକଙ୍କୁ ପଢ଼ାଇବାର ସୁଯୋଗ ମିଳୁଛି। ଫଳରେ ରାଜ୍ୟରେ ଘରୋଇ ସ୍କୁଲଗୁଡିକରେ ଶିକ୍ଷାର ଗୁଣାତ୍ମକ ମାନ ହ୍ରାସପାଉଛି। ତେଣୁ ସରକାରୀ ସ୍କୁଲ ଭଳି ରାଜ୍ୟର ସବୁ ଘରୋଇ ଓଡ଼ିଆ ମାଧ୍ୟମ ସ୍କୁଲଗୁଡିକରେ ଶିକ୍ଷକ,ଶିକ୍ଷୟିତ୍ରୀ ନିଯୁକ୍ତି ସମୟରେ ଓଟିଇଟିକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହାବ୍ୟତୀତ ରାଜ୍ୟର ସମସ୍ତ ଘରୋଇ ସ୍କୁଲଗୁଡିକରେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ କରିବାକୁ ମଧ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ଶିକ୍ଷକଙ୍କର ଶିକ୍ଷାଗତ ଯୋଗ୍ୟତା ଏବଂ କେତେ ଶିକ୍ଷକ ଓଟିଇଟି ପାସ୍ କରିଛନ୍ତି ତା’ର ତଥ୍ୟ ମଧ୍ୟ ବିଭାଗକୁ ପ୍ରଦାନ କରାଯିବ। ଯଦି ଘରୋଇ ସ୍କୁଲରେ ଓଟିଇଟି କ୍ୱାଲିଫାଏ କରିନଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତ କରାଯାଏ, ତେବେ ଏନ୍‌ଓସି ପ୍ରଦାନରେ ସମସ୍ୟା ହେବ ବୋଲି ଜଣାଇଦିଆଯାଇଛି।

ଏବେ ରାଜ୍ୟରେ ଘରୋଇ ଅନୁଦାନପ୍ରାପ୍ତ ସ୍କୁଲସଂଖ୍ୟା ହେଉଛି ୫୨୩୫। ସେହିଭଳି ଘରୋଇ ଅଣଅନୁଦାନପ୍ରାପ୍ତ ସ୍କୁଲ ସଂଖ୍ୟା ୩୯୨୬ ଏବଂ ସ୍ୱୀକୃତି ନଥିବା ୩୦୭୨ଟି ସ୍କୁଲ ଚାଲୁଛି। ଘରୋଇ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସଂଖ୍ୟା ୬୨,୬୫୦। ତେବେ ସେମାନଙ୍କ ମଧ୍ୟରୁ ପ୍ରାୟ ୪୭ ହଜାରଙ୍କ ଶିକ୍ଷାଗତ ଯୋଗ୍ୟତା ସିଟି ଏବଂ ବିଇଡି ଥିବା ବେଳେ ୩୮ ହଜାରଙ୍କ ଶିକ୍ଷାଗତ ଯୋଗ୍ୟତା କେବଳ ବିଇଡି। ପ୍ରାୟ ୮ହଜାର ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ପିଜି ଥିବା ଜଣାପଡ଼ିଛି। ମାତ୍ର ରାଜ୍ୟରେ ଘରୋଇ ସ୍କୁଲରେ ନିଯୁକ୍ତ ଶିକ୍ଷକ,ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ସର୍ବନିମ୍ନ ୧୭ ଶହ ଜଣ ଓଟିଇଟି କ୍ୱାଲିଫାଏ କରିଥିବା ଏକ ରିପୋର୍ଟରୁ ଜଣାଯାଇଛି।

ତଥ୍ୟ କହୁଛି, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟରେ ଥିବା ୭୪୪୩ଟି ଘରୋଇ ସ୍କୁଲରେ ଓଟିଇଟି କ୍ୱାଲିଫାଏ କରିନଥିବା ଶିକ୍ଷକ,ଶିକ୍ଷୟିତ୍ରୀ ପଢ଼ାଉଛନ୍ତି। ଫଳରେ ଗୁଣାତ୍ମକ ଶିକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସ୍କୁଲ ଓ ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ରାଜ୍ୟରେ ଉଭୟ ସରକାରୀ ଏବଂ ଘରୋଇ ସ୍କୁଲରେ ଗୁଣାତ୍ମକ ଶିକ୍ଷାଦାନକୁ ଗୁରୁତ୍ୱ ଦିଆଯାଉଛି। ସରକାରୀ ସ୍କୁଲରେ ଶିକ୍ଷକଙ୍କ ଲାଗି ଓଟିଇଟି କ୍ୱାଲିଫାଏ ଏବଂ ବିଇଡି ବାଧ୍ୟତାମୂଳକ ହୋଇଛି। ଫଳରେ ସରକାରୀ ସ୍କୁଲଗୁଡିକରେ ଶିକ୍ଷାଦାନ ମାନ ଗୁଣାତ୍ମକ ଥିବା ବେଳେ କିଛି ନିର୍ଦ୍ଦିଷ୍ଟ ଘରୋଇ ସ୍କୁଲକୁ ବାଦ୍‌ ହେଲେ ପ୍ରାୟ ୯୦% ଘରୋଇ ସ୍କୁଲରେ ଶିକ୍ଷାରମାନକୁ ନେଇ ନାନା ପ୍ରଶ୍ନ ଉଙ୍କିମାରୁଛି। ତେଣୁ ରାଜ୍ୟର ସବୁ ଘରୋଇ ଓଡ଼ିଆ ମାଧ୍ୟମ ସ୍କୁଲର ଶିକ୍ଷକଙ୍କ ତାଲିକା ଏବଂ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତାର ଯାଞ୍ଚପାଇଁ ନିଷ୍ପତ୍ତି ହୋଇଛି। ସରକାରୀ ସ୍କୁଲରେ ଶିକ୍ଷକତା ପାଇଁ ଆବେଦନକାରୀଙ୍କ ଲାଗି ଏକ ନିର୍ଦ୍ଦିଷ୍ଟ ବୟସସୀମା ରଖାଯାଇଥିବା ବେଳେ ଘରୋଇ ସ୍କୁଲରେ ଯେଉଁମାନେ ନିଯୁକ୍ତିପାଇବେ, ସେମାନଙ୍କ ଲାଗି ବୟସ ସୀମା ନାହିଁ। ସମ୍ପୃକ୍ତ ସ୍କୁଲର ମ୍ୟାନେଜମେଣ୍ଟ ବା କର୍ତ୍ତୃପକ୍ଷ ତାହା ଧାର୍ଯ୍ୟ କରିବେ। ମାତ୍ର ଶିକ୍ଷକ ନିଯୁକ୍ତି ଲାଗି ଶିକ୍ଷାଗତ ଯୋଗ୍ୟତା ସମାନ ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।