ହାଇଦ୍ରାବାଦ,ଏଜେନ୍ସି: ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ ଥମିବାର ନାଁ ନେଉନାହିଁ । ପଶ୍ଚିମବଙ୍ଗ, ବିହାର, ଆନ୍ଧ୍ରପ୍ରଦେଶରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ ଖବର ସାମ୍ନାକୁ ଆସିଛି । ତେବେ ତେଲେଙ୍ଗାନାରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ପୂର୍ବରୁ ପଥର ମାଡ ହୋଇଥିବା ବେଳେ ପୁଣି ଶୁକ୍ରବାର ସନ୍ଧ୍ୟାରେ ଦ୍ବିତୀୟ ଥର ପାଇଁ ପଥର ମାଡ ହୋଇଛି । କହିରଖୁଛୁ ଯେ, ଏହା ପୂର୍ବରୁ ଜାନୁଆରୀ ୧୨ ତାରିଖରେ ଉଦଘାଟନ ପୂର୍ବରୁ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ ହୋଇଥିଲା ।
ତେଲେଙ୍ଗାନାର ମହାବୁବାବାଦ ନିକଟରେ ପଥର ମାଡ ହୋଇଛି । ପଥରମାଡରେ ଟ୍ରେନର ମିରର ସାମାନ୍ୟ ଭାଙ୍ଗି ଯାଇଥିବା ବେଳେ ବଗିର ଗ୍ଲାସ ପେନ ମଧ୍ୟ ଭାଙ୍ଗିଯାଇଛି । ଏନେଇ ଅଭିଯୋଗ ପରେ ରେଳବାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଏନେଇ ଦକ୍ଷିଣ କେନ୍ଦ୍ରୀୟ ରେଳପଥର ସିଆଇପିଓ ରାକେଶ କହିଛନ୍ତି, “ଆମେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛୁ । ଟ୍ରେନଟି ବିଶାଖାପାଟଣା ପହଞ୍ଚିବା ପରେ ରେଳବାଇ ପୋଲିସ ଅଧିକାରୀ ସ୍ଥିତି ଯାଞ୍ଚ କରିବେ ।” ପ୍ରକାଶଯୋଗ୍ୟ ଯେ, ପ୍ରଥମେ ଜାନୁଆରୀ ୧୨ ତାରିଖରେ ବିଶାଖାପାଟଣାରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ ହୋଇଥିଲା । ଟ୍ରେନର ଚଳାଚଳ ଆରମ୍ଭ ହେବା ପୂର୍ବରୁ ଟ୍ରେନଟି ବିଶାଖାପାଟଣା ରେଳ ଷ୍ଟେସନରୁ ମାରିପାଲେମ ସ୍ଥିତ ବଗି ରକ୍ଷଣାବେକ୍ଷଣ କେନ୍ଦ୍ରକୁ ଯାଇଥିଲା । ପଥର ମାଡ ଯୋଗୁଁ ଟ୍ରେନର ଗୋଟିଏ ବଗିର ଦୁଇଟି ଗ୍ଲାସ ପେନ ଭାଙ୍ଗିଯାଇଥିଲା । ପ୍ରାୟ ୧ ଲକ୍ଷ ଟଙ୍କାର କ୍ଷତି ହୋଇଥିଲା ।