ବେଆଇନ ବନ୍ଧୁକ ଚାଲାଣ ବେଳେ ଏସଟିଏଫର ଚଢ଼ଉ, ଜଣେ ଗିରଫ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି କମିସନରେଟ ପୁଲିସ ସହାୟତାରେ ଏସଟିଏଫ ଟିମ୍ ଏକ ବେଆଇନ ବନ୍ଧୁକ ଚାଲାଣକାରୀକୁ ଗିରଫ କରିଛି। ଏହି ଚୋରା ବନ୍ଧୁକ ଚାଲାଣରେ ଏସଟିଏଫ୍ କଟକ ଜିଲ୍ଲାର ସଞ୍ଜୟ କୁମାର ସାହୁକୁ ଗିରଫ କରିଛି। ଏହି ଅଭିଯୁକ୍ତ ନାମରେ ପୂର୍ବରୁ ବିଭିନ୍ନ ଥାନରେ ବହୁ ମାମଲା ରୁଜୁ ହୋଇଛି।

ଆଜି ଭୁବନେଶ୍ୱରର ଆଚାର୍ଯ୍ୟ ବିହାରଠାରେ ବନ୍ଧୁକ ଚାଲାଣ ହେଉଥିବା ଖବର ପାଇ ଏସଟିଏଫର ଗୋଟେ ଟିମ ଚଢ଼ଉ କରିଥିଲା। ଏହି ସମୟରେ ଅଭିଯୁକ୍ତକୁ ଗିରଫ କରାଯିବା ସହିତ ତା ନିକଟରୁ ଗୋଟେ ୯ ଏମଏମ ବନ୍ଧୁକ ସହ ମାଗାଜିନ୍, ଗୋଟେ ରିଭଲବର, ଦୁଇଟି ଏସବିଏମଏଲ ବନ୍ଧୁକ, ୬ଟି ୯ ଏମଏମ ଜୀବନ୍ତ ଗୁଳି, ୨ଟି ୮ ଏମଏମ ଜୀବନ୍ତ ଗୁଳି ଓ ୩ଟି ବଲ ଗୁଳି ଜବତ ହୋଇଛି। ଏନେଇ ସହିଦନଗର ଥାନାରେ କେସ୍ ନଂ-୨୧୪ ତା୨୨/୫/୨୦୨୧ ଧାରା ୨୫ ଅସ୍ତ୍ରଶସ୍ତ୍ର ଆକ୍ଟରେ ମାମଲା ରୁଜୁ ହୋଇଛି।

ସେହିପରି ଗତ ଏକ ବର୍ଷ ମଧ୍ୟରେ ବେଆଇନ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା କାରବାରରେ ଏସଟିଏଫ୍ ୩୧ଟି ମାମଲା ରୁଜୁ କରିବା ସହିତ ୬୯ଟି ଅସ୍ତ୍ରଶସ୍ତ୍ର ଜବତ ଓ ଅନେକ ଅପରାଧୀଙ୍କୁ ଗିରଫ କରିଛି।