ବ୍ରିଜଭୂଷଣଙ୍କ ବିରୋଧରେ ୭ କୁସ୍ତିଯୋଦ୍ଧାଙ୍କ ବୟାନ ରେକର୍ଡ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ଯୌନ ଶୋଷଣ ମାମଲାରେ ୭ ଅଭିଯୋଗକାରୀ କୁସ୍ତିଯୋଦ୍ଧାଙ୍କ ବୟାନ ରେକର୍ଡ କରିଛି । ଓକିଲଙ୍କ ଉପସ୍ଥିତିରେ ସେମାନଙ୍କ ବୟାନ ରେକର୍ଡ ହୋଇଛି । ଏହି ସମୟରେ ଅଭିଯୋଗକାରୀ ଭିନ୍ନ ଭିନ୍ନ ଘଟଣା ସମ୍ପର୍କରେ କହିଛନ୍ତି । ତେବେ ଖୁବଶୀଘ୍ର ଡବ୍ଲ୍ୟୁଏଫଆଇ ଅଧ୍ୟକ୍ଷ ବ୍ରିଜଭୂଷଣ ସିଂହଙ୍କ ବୟାନ ରେକର୍ଡ କରାଯିବ ବୋଲି ପୁଲିସ କହିଛି ।

କେନ୍ଦ୍ର ଖେଳମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ସରକାର ଖେଳାଳିଙ୍କ ସବୁ କଥା ମାନିବାକୁ ପ୍ରସ୍ତୁତ । ଦିଲ୍ଲୀ ପୁଲିସ ନିରପେକ୍ଷ ଯାଞ୍ଚ କରୁଛନ୍ତି । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେଥିପାଇଁ କୁସ୍ତିଯୋଦ୍ଧାଙ୍କୁ ଧାରଣା ଶେଷ କରିବା ଉଚିତ ।