ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ଆସନ୍ତା ୧୪ ଦିନ ଆଂଶିକ ଲକଡାଉନ ଲାଗୁ ହେବ। ଆସନ୍ତାକାଲି ସକାଳ ୫ଟାରୁ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଆଂଶିକ ଲକଡାଉନ ରହିବ ବୋଲି ଜଣାପଡ଼ିଛି। ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶାର ସମସ୍ତ ଜିଲ୍ଲାକୁ ରାଜ୍ୟ ସରକାର ୨ଟି ଭାଗରେ ବିଭକ୍ତ କରିଛନ୍ତି। ୫ ପ୍ରତିଶତରୁ କମ୍ ସଂକ୍ରମଣ ଥିବା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ଟି ଜିଲ୍ଲା ‘ଏ’ କାଟାଗୋରୀରେ ରହିଛି। ଏଥିରେ ସୁନ୍ଦରଗଡ଼, ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗିର, କୋରାପୁଟ, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା ରହିଛି। ଏହି ସବୁ ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୫ଟା ଯାଏଁ ଦୋକାନ ଖୋଲା ରହିବ। ସେହିପରି କଟକ, ପୁରୀ, ମୟୁରଭଞ୍ଜ, ବାଲେଶ୍ୱର ପରି ୧୩ଟି ଜିଲ୍ଲା ‘ବି’ କାଟାଗୋରୀରେ ରହିଛି। ଏସବୁ ଜିଲ୍ଲାରେ ୬ରୁ ୧ଟା ଯାଏଁ ଦୋକାନ ଖୋଲା ରହିବ। ଏତଦବ୍ୟତୀତ ସାରା ରାଜ୍ୟରେ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ସାଇକ୍ଲିଂ, ମର୍ଣ୍ଣିଂ ୱାକ୍ ଓ ଜଗିଂ ପାଇଁ ଅନୁମତି ପ୍ରଦାନ କରାଯାଇଛି।
ସେହିପରି ଉଠା ଦୋକାନୀମାନେ ରାସ୍ତାକଡ଼ରେ ଖାଦ୍ୟ ଜିନିଷ ବିକ୍ରି କରିପାରିବେ। ଦୁଗ୍ଧ ଚାଷୀଙ୍କ ହିତ ପାଇଁ ମିଠା ଦୋକାନ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଖୋଲିବ। ସମସ୍ତ ସରକାରୀ ଓ ଘରୋଇ ଅଫିସ ୫୦ ପ୍ରତିଶତ କର୍ମଚାରୀଙ୍କ ସହ କାର୍ଯ୍ୟକାରୀ ହେବ। ମଲ୍, ଜିମ୍, ସ୍ପା, ସେଲୁନ, ପାର୍କ, ସୁଇମିଂ ପୁଲ୍, ଓ ସିନେମା ଘର ପୂର୍ବପରି ବନ୍ଦ ରହିବ। ସାଇକେଲ ଓ ଗାଡ଼ି ମରାମତି ଦୋକାନ ଖୋଲା ରହିବ। ସମସ୍ତ ଶିକ୍ଷାନୁଷ୍ଠାନ ସହ ବସ୍ ଚଳାଚଳ ମଧ୍ୟ ବନ୍ଦ ରହିବ ବୋଲି ଜଣାପଡ଼ିଛି।