ବିପର୍ଯ୍ୟୟ ପରିଚାଳନା ନିମନ୍ତେ ରାଜ୍ୟସ୍ତରୀୟ ଟାକ୍ସ ଫୋର୍ସ ଗଠିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରେଡକ୍ରସଭବନ ଠାରେ ଏକ ରାଜ୍ୟସ୍ତରୀୟ ‘ଓଡ଼ିଶାରେ ବିପର୍ଯ୍ୟୟ ପରିଚାଳନା ପରାମର୍ଶ’ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଓ ଦେଶରେ ବିପର୍ଯ୍ୟୟ ସମୟରେ ବିଭିନ୍ନ ଭେଦଭାବ ପ୍ରକାଶ ପାଉଥିବାରୁ ଏକ ଅନ୍ତର୍ଭୁକ୍ତୀ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି ନିମନ୍ତେ ଏକ ରାଜ୍ୟସ୍ତରୀୟ ଟାକ୍ସ ଫୋର୍ସ ଗଠନ କରାଯାଇଛି। ଆମ୍ବେଦକର ଲୋହିଆ ବିଚାର ମଞ୍ଚ, ନ୍ୟାସନାଲ ଦଳିତ ୱାଚ୍, ଏନସିଡିଏଚଆର ସଂଗଠନ ଗୁଡ଼ିକର ଆନୁକୂଲ୍ୟରେ ଏହି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।
ଆଜକୁ ଠିକ୍ ଦେଢବର୍ଷ ପୂର୍ବେ ରାଜ୍ୟରେ ଫନି ନାମକ ଏକ ଝଡ଼ବାତ୍ୟା ଓଡ଼ିଶା ରାଜ୍ୟ ଉପକୂଳବର୍ତ୍ତୀ ଅଞ୍ଚଳରେ ଅନେକ କ୍ଷୟକ୍ଷତି ଘଟାଇଛି। ୧୯୯୯ର ମହାବାତ୍ୟା, ୨୦୧୩ର ଫାଇଲିନ ଭଳି ଅନେକ ଝଡ଼ବାତ୍ୟା ସମଗ୍ର ରାଜ୍ୟରେ ବାରମ୍ବାର ଅନେକ କ୍ଷତି ପହଞ୍ଚାଇଛି। ବାରମ୍ବାର ଜଳବାୟୁ ପରିବର୍ତ୍ତନ ହେବା ଯୋଗୁଁ ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟର ଦୁର୍ବଳ ଶ୍ରେଣୀର ବ୍ୟକ୍ତିଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଏହି ବିପର୍ଯ୍ୟୟ ସମୟରେ ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ସମେତ ମହିଳା, ଶିଶୁ, ଶାରୀରିକ ଓ ମାନସିକ ଭିନ୍ନକ୍ଷମ ବୃଦ୍ଧ ବୃଦ୍ଧାମାନେ ବେଶୀ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥାନ୍ତି। ବିପର୍ଯ୍ୟୟ ସମୟରେ ଭେଦଭାବର ଶୀକାର ହୋବାର ଅନେକ ଘଟଣା ବିଭିନ୍ନ ସମୟରେ ପରିଦୃଷ୍ଟ ହୋଇଛି।