ବଳ ସାଉଣ୍ଟୁଛି ଲଘୁଚାପ: ୨ ଦିନ ବର୍ଷିବ, ୩ ଦିନ ପାଗ କୋହଲା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଉପକୂଳ ଓଡ଼ିଶା ଉପରେ ଲମ୍ବିଥିବା ନିମ୍ନଚାପ ରେଖା ପାଇଁ ରାଜ୍ୟର ଏକାଧିକ ସ୍ଥାନରେ ବର୍ଷା ଲାଗି ରହିଛି। ଶନିବାର ପରି ରବିବାର ମଧ୍ୟ ଗଞ୍ଜାମ ଜିଲ୍ଳାରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ହେଲେ ବର୍ଷାର ପରିମାଣ ଶନିବାରଠୁ ଅପେକ୍ଷାକୃତ ହ୍ରାସ ପାଇଛି। ଆସନ୍ତା ୪୮ ଘଣ୍ଟା ଯାଏ ରାଜ୍ୟ ଉପରେ କୌଣସି ନିର୍ଦ୍ଧିଷ୍ଟ ପାଣିପାଗର ପ୍ରଭାବ ନ ଥିବାବେଳେ ୧୬ ତାରିଖରୁ ରାଜ୍ୟ ପାଣିପାଗ ବଦଳିବା ସମ୍ଭାବନା ରହିଛି। ଆସନ୍ତା ୫ ଦିନ ଯାକ ରାଜ୍ୟରେ ମୁଖ୍ୟତଃ ପାଗ କୋହଲା ରହିବ। ଆସନ୍ତା ୩ ଦିନ ରାଜ୍ୟର ସ୍ଥାନେ ସ୍ଥାନେ ବିକ୍ଷିପ୍ତ ବର୍ଷା ସମ୍ଭାବନା ଥିବାବେଳେ ୧୭ରୁ ଦକ୍ଷିଣ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ପରିମାଣ ବଢ଼ିବ। ୧୮ରୁ ଏହି ପରିମାଣ ଆହୁରି ବୃଦ୍ଧିପାଇବା ସହ ଆସନ୍ତା ୨୧ ତାରିଖ ଯାଏ ରାଜ୍ୟରେ ହାଲୁକାରୁ ମଧ୍ୟମ ବର୍ଷା ନଜରକୁ ଆସିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି।

ଶନିବାର ଥାଇଲ୍ୟାଣ୍ଡ ନିକଟରେ ସୃଷ୍ଟ ଲଘୁଚାପ କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ରବିବାର ସନ୍ଧ୍ୟା ସୁଦ୍ଧା ଲଘୁଚାପ କ୍ଷେତ୍ରଟି କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସକ୍ରିୟ ରହିଛି। ଏହା ବାୟୁମଣ୍ଡଳରେ ୫.୮ କିମି ଯାଏ ଲମ୍ବିଥିବାବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଏକ ସଦୃଶ ଲଘୁଚାପ ରୂପ ନେବ। ପ୍ରାୟ ୫ ଦିନ ଯାଏ ବଳୟଟି ସମୁଦ୍ର ଉପରେ ସକ୍ରିୟ ରହିବା ସହ ବଳସାଉଣ୍ଟିବ। ୧୭ ତାରିଖରେ ଏହା ଉତ୍ତର ଆଣ୍ଡାମାନ ତଥା ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳରେ ଅବପାତର ରୂପ ନେବା ଆଶଙ୍କା ଥିବାବେଳେ ସ୍ଥଳଭାଗ ମୁହାଁ ହେବ। ଆସନ୍ତା ୧୮ ତାରିଖ ସୁଦ୍ଧା ଏହା ଆନ୍ଧ୍ର ଉପକୂଳ ଛୁଇଁବା ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟର ଏକାଧିକ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହେବା ନେଇ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତା ୧୭ ତାରିଖ ଦିନ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାବେଳେ ସମସ୍ତ ଦକ୍ଷିଣ ଉପକୂଳବର୍ତ୍ତୀ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ସେହିପରି ୧୮ ତାରିଖ ଦିନ ରାଜ୍ୟର ଏକାଧିକ ଜିଲ୍ଲାରେ ବର୍ଷା ସମ୍ଭାବନା ଥିବାବେଳେ ଦକ୍ଷିଣ ଉପକୂଳର ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନାଗିରି ଓ ରାୟଗଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୧୯ ଓ ୨୦ ତାରିଖରେ ମଧ୍ୟ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷା ନେଇ ପୂର୍ବାନୁମାନ ପ୍ରକାଶ ପାଇଥିବା ଶ୍ରୀ ଦାସ କହିଛନ୍ତି।

ସେପଟେ ମତ୍ସ୍ୟଜୀବୀଙ୍କ ପାଇଁ ସ୍ୱତନ୍ତ୍ର ପରାମର୍ଶ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସୃଷ୍ଟ ଲଘୁଚାପ ସକାଶେ ସମୁଦ୍ର ଅଶାନ୍ତ ରହିଛି। ସମୂଦ୍ର ଉପରେ ଘଣ୍ଟା ପ୍ରତି ପବନର ବେଗ ୪୫ରୁ ୫୫ କିମି ରହୁଥିବାବେଳେ ସମୟ ସମୟରେ ଝଟକା ପବନ ୬୫ କିମି ବେଗରେ ବହୁଛି। ତେଣୁ ପରବର୍ତ୍ତୀ ନିର୍ଦ୍ଦେଶ ନ ମିଳିବା ଯାଏ ସମୁଦ୍ର ଭିତରକୁ ନ ଯିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି। ଯଦି କେହି ମତ୍ସଜୀବୀ ଗଭୀର ସମୁଦ୍ରରେ ଅଛନ୍ତି, ତେବେ ଆସନ୍ତା ୧୭ ତାରିଖ ସୁଦ୍ଧା ସେ କୂଳକୁ ଫେରିଆସନ୍ତୁ ବୋଲି ପାଣିପାଗ କେନ୍ଦ୍ର ସତର୍କ କରାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କତା ଜାରି କରାଯିବା ପରେ ଏସ୍‌ଆର୍‌ସି ପ୍ରଦୀପ ଜେନା ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି। ଦକ୍ଷିଣ ଓଡ଼ିଶା ତଥା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ସହ ପବନ ବହିବାକୁ ଥିବାବେଳେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଘଟଣା ଉପରେ ତୀକ୍ଷ୍ଣ ନଜର ରଖିବାକୁ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି।