ଆସନ୍ତାକାଲି ପୌର ଭୋଟ୍‌, ପ୍ରସ୍ତୁତି ନେଇ ପ୍ରେସମିଟ୍ କରି ସୂଚନା ଦେଲେ ରାଜ୍ୟ ନିର୍ବାଚନ କମିଶନର

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାତି ପାହିଲେ ରାଜ୍ୟରେ ପୌର ନିର୍ବାଚନ ପାଇଁ ଆରମ୍ଭ ହେବ ଭୋଟ୍ ଗ୍ରହଣ। ଏଥିପାଇଁ ସବୁ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଛି। ରାଜ୍ୟରେ ପୌର ଭୋଟ୍ ପ୍ରସ୍ତୁତିକୁ ନେଇ ଆଜି ରାଜ୍ୟ ନିର୍ବାଚନ କମିଶନର ସ୍ଥିତି ସମୀକ୍ଷା କରିବା ସହିତ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି।

ରାଜ୍ୟରେ ସବୁ ପ୍ରସ୍ତୁତି ଶେଷ ହେବା ସହ ଆଜିଠାରୁ ପୋଲିଂ ପାର୍ଟି ମାନେ ମଧ୍ୟ ବୁଥ୍ ଅଭିମୁଖେ ବାହାରି ସାରିଛନ୍ତି। ଏହା ସହିତ ଭୋଟ୍ ଗ୍ରହଣ ସମୟରେ ବିଶୃଙ୍ଖଳା ଏଡାଇବା ପାଇଁ ୧୯୫ଟି ପୁଲିସ୍ ଫୋର୍ସ ମୁତୟନ କରାଯାଇଛି ବୋଲି ନିର୍ବାଚନ କମିଶନର ସୂଚନା ଦେଇଛନ୍ତି।

ଆସନ୍ତାକାଲି ସକାଳ ୮ ଟାରୁ ସଂଧ୍ୟା ୫ଟା ଯାଏଁ ଜାରି ରହିବ ମତଦାନ। ସମ୍ବେଦନଶୀଳ ବୁଥ୍ ଗୁଡିକ ଉପରେ ବିଶେଷ ଧ୍ୟାନ ଦିଆଯାଉଛି ବୋଲି ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି।

ରାଜ୍ୟରେ ମୋଟ୍ ୩ ଟି ମ୍ୟୁନିସିପାଲ କର୍ପୋରେସନ୍‌, ୪୭ଟି ମ୍ୟୁନିସିପାଲଟି ଓ ୫୯ଟି ଏନଏସିରେ ହେବାକୁ ଯାଉଛି ନିର୍ବାଚନ। ପୁରା ରାଜ୍ୟରେ ମେୟର ଓ ଚେୟାରମ୍ୟାନ୍ ପାଇଁ ୫୬୯ ଜଣ କର୍ପୋରେଟର ଓ କାଉନସିଲର ପାଇଁ ମୋଟ୍ ୫୮୪୨ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ଆସନ୍ତାକାଲି ସେମାନଙ୍କ ଭାଗ୍ୟ ହେବାକୁ ଯାଉଛି।

ପୌର ନିର୍ବାଚନରେ ସୁରକ୍ଷା ଓ ଶୃଙ୍ଖଳିତ ମତଦାନକୁ ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି ଆଜି ପ୍ରେସମିଟ୍ କରି ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି।