ଶ୍ରୀଲଙ୍କାରେ ଅର୍ଥନୈତିକ ସଙ୍କଟ; ଭାରତର ସହାୟତା ମାଗିଲେ ରାଜପକ୍ଷା

ନୂଆଦିଲ୍ଲୀ,ଏଜେନ୍ସି: ଶ୍ରୀଲଙ୍କାରେ ଦେଖା ଦେଇଥିବା ଗଭୀର ଅର୍ଥନୈତିକ ସଙ୍କଟ ମଧ୍ୟମରେ ଭାରତ ନିକଟରୁ ସହାୟତା ମାଗିଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷା । ବର୍ତ୍ତମାନ ଦୈନିକ ରାସନ ଏବଂ ପନିପରିବାର ସଙ୍କଟ ଦେଖା ଦେଇଥିବା ବେଳେ ଭାରତକୁ ସହାୟତାର ହାତ ବଢାଇବାକୁ ନିବେଦନ କରିଛନ୍ତି ରାଷ୍ଟ୍ରପତି । ଭାରତ ନିକଟରୁ ୨ ବିଲିୟନ୍ ଡଲାରର ଋଣ ପାଇଁ ଶ୍ରୀଲଙ୍କା ପକ୍ଷରୁ ଅନୁରୋଧ କରାଯାଇଛି । ଏହା ସହିତ ଭାରତ ପକ୍ଷରୁ ପୂର୍ବରୁ ୨.୭ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ପଠାଯାଇଥିଲା ।

ପୂର୍ବରୁ ଭାରତ ସରକାରଙ୍କ ପକ୍ଷରୁ ଏହି ପଡୋଶୀ ରାଷ୍ଟ୍ର ପାଇଁ ୧ ବିଲିୟନ୍ ଡଲାରର ଏକ କ୍ରେଡିଟ ଲାଇନ ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ଭାରତ ନିକଟରୁ ୨ ବିଲିୟନ୍ ଡଲାରର କ୍ରେଡିଟ୍ ଲାଇନ୍ ବ୍ୟତିତ ଆଇଏମ୍‌ଏଫ୍ ନିକଟରୁ ୪ ବିଲିୟନ୍ ଡଲାରର କ୍ରେଡିଟ ଲାଇନ୍ ପାଇଁ ଆବେଦନ କରାଯାଇଛି । ଆସନ୍ତା ଏପ୍ରିଲ ୧୮ ତାରିଖରେ ଆଇଏମ୍‌ଏଫ୍ ସହିତ ଆଲୋଚନା ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ଏପ୍ରିଲ ୨୫ ସୁଦ୍ଧା ଆଇଏମ୍‌ଏଫ୍ ଫଣ୍ଡ ମିଳିବା ନେଇ ଆଶା ରଖିଛନ୍ତି ଅର୍ଥ ମନ୍ତ୍ରୀ ଅଲି ସାବ୍ରି ।

ଭାରତ ଯଥାଶୀଘ୍ର ନିଜର କ୍ରେଡିଟ ଲାଇନ ପ୍ରଦାନ କରିବା ଉଚିତ ବୋଲି ସାବ୍ରି କହିଛନ୍ତି । ଏହା ସହିତ ଶ୍ରୀଲଙ୍କା ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଆଇଏମ୍‌ଏଫ୍ ପକ୍ଷରୁ ମଧ୍ୟ ତ୍ୱରିତ ପଦକ୍ଷେପ ନିଆଯିବା ଉଚିତ୍ ବୋଲି ସାବ୍ରି କହିଛନ୍ତି । ଶ୍ରୀଲଙ୍କା ନିଜକୁ ଦେବାଳିଆ ଘୋଷଣା କରିବା ସହିତ ୫୧ ବିଲିୟନ ଡଲାରର ବିଦେଶୀ ଋଣକୁ ଫେରସ୍ତ କରିବା ନେଇ ଅକ୍ଷମତା ପ୍ରକାଶ କରିଥିଲା । ବୈଦେଶିକ ମୁଦ୍ରା ଭଣ୍ଡାର ସମ୍ପୂର୍ଣ୍ଣ ଭାବରେ ଖାଲି ହୋଇ ଯାଇଥିବାରୁ ସରକାର ଋଣ ପରିଶୋଧରେ ଅକ୍ଷମ । ଯଦି କୌଣସି ଦେଶ ଶ୍ରୀଲଙ୍କା ମୁଦ୍ରାରେ ନିଜର ଋଣ ପରିଶୋଧ କରିବାକୁ ଚାହିଁବ ଆମେ ପରିଶୋଧ ପାଇଁ ପ୍ରସ୍ତୁତ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ।