ତୈଳ ପାଇଁ ଶ୍ରୀଲଙ୍କାକୁ ୫୦୦ ମିଲିୟନ ଡଲାର ଦେବ ଭାରତ

କଲମ୍ବୋ,ଏଜେନ୍ସି: ଉତ୍କଟ ଅର୍ଥନୈତିକ ସଙ୍କଟ ମଧ୍ୟରେ ଶ୍ରୀଲଙ୍କା ସ୍ଥିତି ବେହାଲ । ଦେଶର ଖାଦ୍ୟ ନାହିଁ କି ଇନ୍ଧନ ନାହିଁ । ବିଜୁଳି ଠାରୁ ଆରମ୍ଭ କରି ଔଷଧ ପରି ଜରୁରୀ ସାମଗ୍ରୀର ଅଭାବ ସହ ଯୁଝୁଛନ୍ତି ଦେଶବାସୀ । ଅନାହାରରେ ଆଉଟୁପାଉଟୁ ଲୋକେ ପ୍ଲାକାର୍ଡ ଧରି ରାସ୍ତାକୁ ଓହ୍ଲାଉଛନ୍ତି । ଏଭଳି ଗୁରୁତର ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ ପୁଣିଥରେ ସହାୟତାର ହାତ ବଢାଇଛି ଭାରତ । ତୈଳ କିଣିବାକୁ ଭାରତ ଶ୍ରୀଲଙ୍କା ସରକାରଙ୍କୁ ୫୦୦ ମିଳିୟନ ଡଲାର ଅତିରିକ୍ତ ସହାୟତା ପ୍ରଦାନ କରିବ । ବୁଧବାର ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀ ଜିଏଲ ପେଇରିସ୍ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

କେବଳ ଭାରତ ନୁହେଁ ଅନ୍ୟାନ୍ୟ କେତେକ ରାଷ୍ଟ୍ର ମଧ୍ୟ ଶ୍ରୀଲଙ୍କାକୁ ସହାୟତା କରୁଛନ୍ତି । ବାଂଲାଦେଶ ୪୫୦ ମିଲିୟନ ଡଲାର ଦ୍ରବ୍ୟ ବିନିୟମ ଉପରେ ରିହାତିଦେଶ ଜାରି କରିଛି । ଆଇଏମଏଫ ପକ୍ଷରୁ ସହାୟତା ଆସିବାକୁ ପ୍ରାୟତଃ ୬ ମାସ ଲାଗିବ ଏବଂ ଏହାପୁଣି କିସ୍ତିରେ ଆସିବ । ଏହି ଅବଧି ମଧ୍ୟରେ ଦେଶବାସୀଙ୍କୁ ଆବଶ୍ୟକୀୟ ସାମଗ୍ରୀ ଯୋଗାଇବା ପାଇଁ ଆମକୁ ପାଣ୍ଠି ଯୋଗାଡ କରିବାକୁ ହେବ ବୋଲି ବୈଦେଶିକ ମନ୍ତ୍ରୀ କହିଛନ୍ତି । ପୂର୍ବରୁ ଭାରତ ଶ୍ରୀଲଙ୍କାକୁ ପେଟ୍ରୋଲ ଓ ଚାଉଳ ସହ ଅନ୍ୟାନ୍ୟ ସାମଗ୍ରୀ ପଠାଇଥିଲା ।

କହିରଖୁଛୁ କି, ଗୁରୁତର ଖାଦ୍ୟ ଓ ଇନ୍ଧନ ସଙ୍କଟ ସାଙ୍ଗକୁ ବିଜୁଳି ଶକ୍ତି ଅଭାବ ଶ୍ରୀଲଙ୍କାକୁ ଅନ୍ଧାର ମଧ୍ୟକୁ ଠେଲି ଦେଇଛି । ଦେଶର ପ୍ରାୟ ୨୨ ମିଲିୟନ ଲୋକେ ଏହି ଗୁରୁତର ସମସ୍ୟା ଦେଇ ଗତି କରୁଛନ୍ତି । ୧୯୪୮ ମସିହା ସ୍ବାଧୀନତା ପରଠାରୁ ଶ୍ରୀଲଙ୍କା ନାଗରିକଙ୍କ ପାଇଁ ବର୍ତ୍ତମାନ ସବୁଠୁ କଠିନ ସମୟ । ବିଦେଶୀ ମୁଦ୍ରା ଭଣ୍ଡାର ଖାଲି ପଡିଥିବା ଯୋଗୁଁ ଦେଶ ବାହାରୁ ଜରୁରୀ ସାମଗ୍ରୀ ଆମଦାନୀ କରିପାରୁନାହିଁ ।