କେରଳରୁ ପ୍ରବାସୀ ଶ୍ରମିକଙ୍କୁ ନେଇ ଓଡ଼ିଶା ଆସିବ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: କେରଳରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଆଣିବା ନେଇ ଏକ ସ୍ୱତନ୍ତ୍ର ଟ୍ରେନ ଓଡ଼ିଶା ଆସିବ। ଏର୍ଣ୍ଣାକୁଲମ ଜିଲ୍ଲା ଆଲୁଭା ଷ୍ଟେସନରୁ ଛାଡିବ ସ୍ୱତନ୍ତ୍ର ଟ୍ରେନ। ସନ୍ଧ୍ୟା ୬ଟାରେ ଓଡିଶା ଅଭମୁଖେ ବାହାରିବ ଟ୍ରେନ। ପ୍ରାୟ ୧୨ ଶହ ପ୍ରବାସୀ ଶ୍ରମିକଙ୍କୁ ନେଇ ଓଡିଶା ଆସିବ ସ୍ୱତନ୍ତ୍ର ଟ୍ରେନ।

ତାଲାବନ୍ଦ କଟକଣା ଲାଗୁ ହେବା ଦ୍ୱାରା ଦେଶର ବିଭିନ୍ନ ପ୍ରାନ୍ତରେ ଫଶି ରହିଛନ୍ତି ଓଡିଆ। ତେବେ ବାହାରେ ଫଶି ରହିଥିବା ଏହି ପ୍ରବାସୀ ଓଡିଆଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା। ଗତକାଲି ପାଖାପାଖି ୧୮ଟି ବସରେ ସୁରତରୁ ତଥା ବିଭିନ୍ନ ସ୍ଥାନରୁ ପ୍ରବାସୀ ଓଡିଆଙ୍କୁ ଅଣାଯାଇଛି। କିନ୍ତୁ ଏହାରି ଭିତରେ ଭାରତୀୟ ରେଳ ମନ୍ତ୍ରାଳୟ ପକ୍ଷରୁ ଏକ ବଡ ନିଷ୍ପତି ନିଆଯାଇଛି।

ଯେଉଁଥିରେ କେରଳରେ ଯେଉଁ ଓଡିଆ ଲୋକ ତାଲାବନ୍ଦ ଯୋଗୁଁ ଫସି ରହିଛନ୍ତି ସେମାନଙ୍କୁ ଆଣିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି ଏବଂ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ସେମାନଙ୍କୁ କେରଳରୁ ଓଡିଶା ଅଣାଯିବ ବୋଲି କୁହାଯାଇଛି। ଏନେଇ ଉଚ୍ଚପଦସ୍ଥ କର୍ମଚାରୀମାନଙ୍କ ସହ ବିଚାରବିମର୍ଶ ଜାରି ରହିଥିବା ସୂଚନା ମିଳିଛି। ଏହି ଟ୍ରେନରେ ୧୦୦୦ରୁ ୧୨ ଶହ ଯାତ୍ରୀଙ୍କୁ ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି। ସେପଟେ, ତେଲେଙ୍ଗାନାରୁ ୧୨ଶହ ଜଣ ଶ୍ରମିକଙ୍କୁ ନେଇ ପ୍ରଥମ ଟ୍ରେନ ଝାଡଖଣ୍ଡ ଯାଇଛି। ତେଲେଙ୍ଗାନାର ଲିଙ୍ଗମପଲ୍ଲିରେ ଏହି ସମସ୍ତ ଶ୍ରମିକ ଫଶି ରହିଥିଲେ।

ସେମାନଙ୍କୁ ଟ୍ରେନ ଯୋଗେ ଝାଡଖଣ୍ଡର ହାତିଆକୁ ନିଆଯାଇଛି। ଆଜି ସକାଳ ୪ଟା ୫୦ମିନିଟରେ ଏହି ୨୪ କୋଚ ବିଶିଷ୍ଟ ଟ୍ରେନ ଯାତ୍ରା ଆରମ୍ଭ କରିଛି। ଆରପିଏଫ ଡିଜି ଅରୁଣ କୁମାର ଏହି ସୂଚନା ଦେଇଛନ୍ତି। ଲକଡାଉନ ଦିନଠାରୁ ଏହା ହେଉଛି ପ୍ରଥମ ଟ୍ରେନ ଯିଏ ଶ୍ରମିକମାନଙ୍କୁ ନେଇ ଝାଡଖଣ୍ଡକୁ ଯାଇଛି।