ନୂଆଦିଲ୍ଲୀ: କମ୍ପାନୀଙ୍କ ପକ୍ଷରୁ ଦଶହରା ଏବଂ ଦୀପାବଳୀର ପାର୍ବଣ ଋତୁରେ ରିହାତି ଘୋଷଣା କରାଯାଇଥିଲା ବେଳେ ଚଳିତବର୍ଷ ଗ୍ରାହକମାନଙ୍କୁ ସର୍ବାଧିକ ରିହାତି ପ୍ରଦାନ ପାଇଁ କମ୍ପାନୀମାନଙ୍କ ପକ୍ଷରୁ ଘୋଷଣା କରାଯାଇଛି। ବିଶେଷକରି ସାଂପ୍ରତିକ ଆର୍ଥିକ ମାନ୍ଦାବସ୍ଥାକୁ ନେଇ ଏବେ ଗାଡ଼ି ବିକ୍ରି ସଂଖ୍ୟା ସର୍ବାଧିକ ଭାବେ ପ୍ରଭାବିତ ହୋଇଛି। ତେଣୁ ଚଳିତ ପାର୍ବଣରେ ଗ୍ରାହକମାନଙ୍କୁ ଅଧିକ ଫାଇଦା ଦେଇ କମ୍ପାନୀମାନେ ସେମାନଙ୍କ ବିକ୍ରି ବୃଦ୍ଧି କରିବାକୁ ଯୋଜନା କରିଛନ୍ତି। ମାରୁତି ସୁଜୁକି, ହ୍ୟୁଣ୍ଡାଇ, ଏବଂ ହୋଣ୍ଡା ଭଳି ପ୍ରମୁ୍ଖ କାର୍ ନିର୍ମାଣକାରୀ କମ୍ପାନୀଙ୍କ ପକ୍ଷରୁ ଗ୍ରାହକମାନଙ୍କୁ ସର୍ବାଧିକ ରିହାତି ଦେବା ପାଇଁ ଘୋଷଣା କରାଯାଇଛି।
ହ୍ୟୁଣ୍ଡାଇ ମୋଟର୍ସ: ଭାରତର ଦ୍ୱିତୀୟ ବୃହତ୍ ମୋଟର କମ୍ପାନୀ ହ୍ୟୁଣ୍ଡାଇ ମୋଟର୍ସ ପକ୍ଷରୁ ଏହାର ଭେନ୍ୟୁ, କୋନା ଇଭି ଏବଂ ଗ୍ରାଣ୍ଡ ଆଇ୧୦ ନିଓଜ୍ ଭଳି କେତେକ ମଡେଲ୍କୁ ବାଦ୍ ଦେଲେ ଆଉ ସମସ୍ତ ମଡେଲ ଗୁଡିକ ପାଇଁ ରିହାତି ଘୋଷଣା କରାଯାଇଛି। କମ୍ପାନୀର ସାଣ୍ଟ୍ରୋ ମଡେଲରେ ୭୦,୦୦୦ ଟଙ୍କାର ରିହାତି ଦିଆଯାଉଥିବା ବେଳେ ଗ୍ରାଣ୍ଡ ଆଇ-୧୦(ପେଟ୍ରୋଲ/ଡିଜେଲ)ରେ ୧,୦୫,୦୦୦, ଏଲିଟ୍ ଆଇ୨୦ରେ ୭୫,୦୦୦, ଭର୍ଣ୍ଣା(ପେଟ୍ରୋଲ/ଡିଜେଲ)ରେ ୫୫,୦୦୦, ଏଲୋଣ୍ଟ୍ରା ଏବଂ ଟସ୍କନ୍ ରେ ୨.୨୫ ଲକ୍ଷ, ଏକ୍ସେଣ୍ଟ ମଡେଲରେ ୧ ଲକ୍ଷ ଏବଂ ହ୍ୟୁଣ୍ଡାଇ କ୍ରେଟା( ପେଟ୍ରୋଲ/ଡିଜେଲ)ରେ ୮୫,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ ବୋଲି କୁହାଯାଇଛି।