ଚୀନ-ପାକିସ୍ତାନ ସୀମାରେ ଗବେଷଣା ପାଇଁ ପ୍ରସ୍ତୁତ ହେଲା ସ୍ୱତନ୍ତ୍ର ପରୀକ୍ଷାଗାର

ନୂଆଦିଲ୍ଲୀ,ଏଜେନ୍ସି: ସୀମାରେ ଉତ୍ତେଜନା ଜାରି ରହିଥିବା ବେଳେ କେନ୍ଦ୍ର ସରକାର ପ୍ରତିରକ୍ଷା ଗବେଷଣା ବିକାଶ ସଂଗଠନ (ଡିଆରଡିଓ)ର ୨ଟି ପରୀକ୍ଷାଗାରକୁ ଏକତ୍ର କରି ଏକ ନୂଆ ପରୀକ୍ଷାଗାର ପ୍ରସ୍ତୁତ କରିଛନ୍ତି। ମନାଲି ମୁଖ୍ୟାଳୟରେ ଥିବା ବରଫ ଓ ହିମସ୍ଖଳନ ପ୍ରତିଷ୍ଠାନ (ଏସଏଏସଇ) ଓ ଦିଲ୍ଲୀସ୍ଥିତ ପ୍ରତିରକ୍ଷା ଭୂଭାଗ ଗବେଷଣା ପରୀକ୍ଷାଗାରକୁ ଏକତ୍ର କରାଯାଇଛି। ଏହି ନୂତନ ପରୀକ୍ଷାଗାର ଚୀନ ଓ ପାକିସ୍ତାନର ସୀମା ଅଞ୍ଚଳରେ ବରଫାବୃତ୍ତ ପାଗରେ ଗବେଷଣା ସମୟରେ ସହାୟକ ହେବ। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ପରୀକ୍ଷାଗାରକୁ ‘ଡିଫେନ୍ସ ଜିଓ ଇନଫରମେଟିକ୍ସ ଏଷ୍ଟାବ୍ଲିସମେଣ୍ଟ’ ନାଁ ଦିଆଯାଇଛି।

ଏଥିରେ ଲଦ୍ଦାଖରୁ ଆରମ୍ଭ କରି ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଚୀନକୁ ଲାଗିଥିବା ସୀମା ଓ ହିମସ୍ଖଳନ ଉପରେ ଗବେଷଣାକୁ କେନ୍ଦ୍ରିତ କରିବ। ଡିଆରଡିଓର ପ୍ରମୁଖ ଡ. ଜୀ ସତୀଶ ରେଡ୍ଡୀ କହିଛନ୍ତି ଏହାକୁ ଆହୁରି ଅଧିକ ଫଳପ୍ରଦ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।