ନିୟନ୍ତ୍ରଣ ହରାଇ ପୃଥିବୀ ଆଡ଼କୁ ମାଡ଼ିଆସୁଛି ଚୀନର ରକେଟ୍, ସ୍ପେନ ନିକଟରେ ପଡ଼ିବା ଆଶଙ୍କା

ବାର୍ସିଲୋନା,ଏଜେନ୍ସି: ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ଚୀନର ଏକ ରକେଟକୁ ନେଇ ୟୁରୋପୀୟ ଦେଶ ସ୍ପେନରେ ଆତଙ୍କ ଖେଳିଯାଇଛି । ଏହାକୁ ଦୃଷ୍ଟିରେ ରଖି ବାର୍ସେଲୋନା ସମେତ ଅନ୍ୟ ସହରରେ ଥିବା ଏୟାରପୋର୍ଟଗୁଡ଼ିକୁ ବନ୍ଦ କରି ଦିଆଯାଇଛି ।

ଏହା ଯୋଗୁଁ ଲା ରିଓଜା ଏବଂ କାଷ୍ଟିଲା ଏବଂ ଲିଓନଙ୍କ ସମେତ ଅନ୍ୟ ଅଞ୍ଚଳରେ ଫ୍ଲାଇଟ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିବା ଖବର ମିଳିଛି । ଏହା ସହିତ ଟାରାଗୋନା, ଇବିଜା ଏବଂ ରିୟସକୁ ବିମାନ ଉଡ଼ାଣ ପ୍ରଭାବିତ ହୋଇଥିବା ଜଣାପଡିଛି । ଫ୍ରାନ୍ସର ମାର୍ସେଲିରେ ଥିବା ବିମାନବନ୍ଦରକୁ ମଧ୍ୟ ହାଇ ଆଲର୍ଟରେ ରଖାଯାଇଛି ।

କାଟାଲୋନିଆ (ସ୍ପେନ)ର ଜଣେ ଅଧିକାରୀ କହିଛନ୍ତି ଯେ, ଚୀନର ରକେଟ ସିଜେଡ୍-୫ବି ସ୍ପେନର ଏୟାରସ୍ପେଶକୁ ଶନିବାର ସକାଳ ୯ଟା ୩୮ରୁ ୧୦ଟା ୧୮ ମଧ୍ୟରେ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଏ ନେଇ ସବୁ ଏୟାରପୋର୍ଟକୁ ସୂଚୀତ କରାଯାଇଛି ।

ଶନିବାର ସକାଳେ ଏହି ରକେଟ୍ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବାର ଥିଲା, କିନ୍ତୁ ଏହା ଶୁକ୍ରବାର ମଧ୍ୟାହ୍ନ ବେଳକୁ ବାୟୁମଣ୍ଡଳରେ ପ୍ରବେଶ କରିବ ବୋଲି କୁହାଯାଇଛି । ରକେଟର ବୁଷ୍ଟର ଘଣ୍ଟାପ୍ରତି ୧୭,୫୦୦ ମାଇଲ ବେଗରେ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ଗତି କରୁଛି ଏବଂ ପ୍ରକୃତରେ ଏହା କେଉଁ ସ୍ଥାନରେ ପଡ଼ିବ ତାହା ଜଣାପଡ଼ିନାହିଁ ।