କେପଟାଉନ,ଏଜେନ୍ସି: ଆଇସିସି ମହିଳା ଟି ଟ୍ବେଣ୍ଟି ବିଶ୍ବକପର ସେମିଫାଇନାଲ ମ୍ୟାଚ ଶେଷ ହୋଇଛି । ଦ୍ବିତୀୟ ସେମିଫାନାଲରେ ମୁହାଁମୁହିଁ ହୋଇଥିଲେ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ । ୬ ରନରେ ଇଂଲଣ୍ଡକୁ ହରାଇ ପ୍ରଥମ ଥର ପାଇଁ ଫାଇନାଲକୁ ପ୍ରବେଶ କରିଛି ଦକ୍ଷିଣ ଆଫ୍ରିକା । ଉଭୟ ବ୍ୟାଟିଂ ଓ ବୋଲିଂରେ ଦକ୍ଷିଣ ଆଫ୍ରିକା ଦମଦାର ପ୍ରଦର୍ଶନ କରି ଏହି ଯୋଗ୍ୟତା ହାସଲ କରିଛି । ଫଳରେ ଆସନ୍ତାକାଲି(ରବିବାର) ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଓ ଡିଫେଣଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ ।
ଶୁକ୍ରବାର ଦ୍ବିତୀୟ ସେମିଫାଇନାଲ ମ୍ୟାଚରେ ଟସ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରିଥିଲା । ଫଳରେ ୪ ଓ୍ବିକେଟ ହରାଇ ୧୬୪ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା ଦଳ । ଆରମ୍ଭରୁ ଲାଓରା ଉଲଭର୍ଟ ଓ ବ୍ରିଟ୍ସ ଦମଦାର ବ୍ୟାଟିଂ କରି ଦଳୀୟ ସ୍କୋରକୁ ୯୬ରେ ପହଞ୍ଚାଇଥିଲେ । ଏହାପରେ ୫୩ ରନ କରି ପାଭିଲିୟନକୁ ଫେରିଥିଲେ ଉଲଭାର୍ଟ । ତୃତୀୟରେ ବ୍ୟାଟିଂ କରିବାକୁ ପଡିଆକୁ ଆସିଥିଲେ ମାରିଜନେ କାପ । ବ୍ରିଟ୍ସ ଓ ମାରିଜନେ ମିଶି ଦଳୀୟ ସ୍କୋରକୁ ୧୪୨ରେ ପହଞ୍ଚାଇଥିଲେ । ଶେଷରେ ୬୮ ରନ କରି ଆଉଟ ହୋଇଥିଲେ ବ୍ରିଟ୍ସ । ସେହିପରି କାପ ୨୭ ରନ କରି ଅପରାଜିତ ରହିଥିବା ବେଳେ ଦଳ ୨୦ ଓଭର ଶେଷ ସୁଦ୍ଧା ୧୬୪ ରନ କରିବାକୁ ସକ୍ଷମ ହୋଇଥିଲା।
ଏହାପରେ ୧୬୫ ରନର ବିଜୟ ଲକ୍ଷ୍ୟ ରଖି ପଡିଆକୁ ଓହ୍ଳାଇଥିଲା ଇଂଲଣ୍ଡ । କିନ୍ତୁ ଦକ୍ଷିଣ ଆଫ୍ରିକା ବୋଲରଙ୍କ ବୋଲିଂରେ ଘାଇଲା ହୋଇଥିଲେ ଇଂଲଣ୍ଡର ବ୍ୟାଟର । ଓପନର ଡାନି ୩୪ ରନ କରିଥିବା ବେଳେ ସୋଫିଆ ୨୮ ରନ କରିପାରିଥିଲେ । ସେହିପରି ନାତାଲି ସାଇବର ବ୍ରୁଣ୍ଟ ୪୦ ଓ ଅଧିନାୟକ ହିଦର ୩୧ ରନ କରିଥିଲେ । ଫଳରେ ୮ ଓ୍ବିକେଟ ହରାଇ ୧୫୮ କରିଥିଲା ଇଂଲଣ୍ଡ । ଶେଷରେ ଫାଇନାଲରେ ପହଞ୍ଚିବାର ଆଶା ମଉଳିଥିଲା ଇଂଲଣ୍ଡର ।
ଦକ୍ଷିଣ ଆଫ୍ରିକା ପକ୍ଷରୁ ସବନିମ ଇସମାଇଲ ୩ଟି ଓ୍ବିକେଟ ନେଇଥିବା ବେଳେ ଆୟାବୋଙ୍ଗ ଖାଖା ସର୍ବଧିକ ୪ଟି ଓ୍ବିକେଟ ନେଇଥିଲେ। ସେହିପରି ଇଂଲଣ୍ଡର ଦଳ ପକ୍ଷରୁ ସୋଫି ଏକ୍ଲେଷ୍ଟୋନ ସର୍ବାଧିକ ୩ଟି ଓ୍ବିକେଟ ଅକ୍ତିଆର କରିଥିଲେ। ଶେଷରେ ଦକ୍ଷିଣ ଆଫ୍ରିକାରକ ଓପନର ତାଜମିନ ବ୍ରିଟ୍ସ ସର୍ବାଧିକ ସ୍କୋର କରିଥିବାରୁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା । ଆସନ୍ତାକାଲି ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ଲଢେଇ ହେବ।