କରୋନାରେ ପ୍ରାଣ ହରାଇଲେ ଅଭିନେତା ସୌମିତ୍ର ଚାଟାର୍ଜୀ

କୋଲକାତା, ଏଜେନ୍ସି: ପଶ୍ଚିମବଙ୍ଗର ବିଶିଷ୍ଟ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। କରୋନା ପଜିଟିଭ୍ ଚିହ୍ନଟ ହେବାପରେ ତାଙ୍କୁ ଅକ୍ଟୋବର ୬ ତାରିଖରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିଲା। ପୁଣି ତାଙ୍କଠାରେ ଅନ୍ୟାନ୍ୟ ସମସ୍ୟା ଦେଖାଯାଇଥିଲା ଓ ତାଙ୍କ ଅବସ୍ଥା ଗୁରୁତର ରହିଥିଲା। ସୌମିତ୍ର ଚାଟାର୍ଜୀ ବଙ୍ଗାଳି ଭାଷାରେ ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ୨୦୧୨ରେ ତାଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେ ତିନି ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଭାରତ ସରକାର ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ।