ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଅନାୟାସରେ କାୟାମେଲାଇଛି ମାଫିଆଙ୍କ କଳାସାମ୍ରାଜ୍ୟ, ମାଫିଆଙ୍କ ପ୍ରତି ପ୍ରଶାସନର ଅହେତୁକ ଅନୁକମ୍ପାକୁ ନେଇ ପ୍ରଶ୍ନ

ଟିଟିଲାଗଡ,ଏନ୍ଏନ୍ଏସ୍: ଟିଟିଲାଗଡ ଓ ମୁରିବାହାଲ ସିମାନ୍ତର ସଂରକ୍ଷିତ ତିଖାଲି ଜଙ୍ଗଲ ମଧ୍ୟରେ ଦୀର୍ଘଦିନ ଧରି ଅନାୟାସରେ ବେଆଇନ ରତ୍ନ ପଥର ଉତ୍ତୋଳନ କାରବାର ଚାଲିଥିଲା। ଏଥିରେ କାମ କରୁଥିବା ଦୁଇ ଶ୍ରମିକ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିବା ପରେ ଏହା ଲୋକଲୋଚନକୁ ଆସିଥିଲା। ପରେ କର୍ଲାପିଟା ଗାଁ ମଧ୍ୟରୁ ମୂରିବାହାଲ ପୁଲିସ ୮ଟି ଦେଶି ବନ୍ଧୁକ ସହ ବେଆଇନ ଭାବରେ ରଖାଯାଇଥିବା ବହୁ ବିସ୍ପୋରକ ସାମଗ୍ରୀ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି। ଏହି ଘଟଣା ପରେ ଏହି ସଂରକ୍ଷିତ ଜଙ୍ଗଲର ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ବନବିଭାଗର ଭୂମିକାକୁ ନେଇ ପ୍ରଶ୍ନ ଉଠିଛି।

ଏହି ସଂରକ୍ଷିତ ଜଙ୍ଗଲରେ ପ୍ରଶାସନିକ ଅନୁକମ୍ପା ଯୋଗୁଁ ରତ୍ନ ପଥର ମାଫିଆ ଓ ବନ୍ୟଜନ୍ତୁ ଶିକାରୀଙ୍କ କଳା ସାମ୍ରାଜ୍ୟ ବୃଦ୍ଧି ପାଇଛି। ବେଆଇନ ରତ୍ନ ପଥର ଉତ୍ତୋଳନ ଘଟଣାର ମୁଖ୍ୟ ରାଜୁ ସାହୁର କଳା କାରନାମାର ଗୁମର ଫିଟିଛି। ବେଆଇନ ରତ୍ନ ପଥର ଖନନ ସାଙ୍ଗକୁ ଜଙ୍ଗଲ ଜମି ପଦା କରି ଇଟା ଭାଟି ନିର୍ମାଣ କରିବା, ଏକର ଏକର ଜଙ୍ଗଲକୁ ଧ୍ବଂସ କରି କପା ବିଳ ନିର୍ମାଣ କରିବା ସହ ବହୁ ମୂଲ୍ୟବାନ ସାଗୁଆନ ଗଛ ଗୁଡିକ କାଟି ବିଭିନ୍ନ ଆସବାବ ପତ୍ର ନିର୍ମାଣ କରି ବ୍ୟବସାୟୀ ସମେତ ବନ ବିଭାଗ ଅଧିକାରୀ ମାନଙ୍କ ନିକଟକୁ ଚାଲାଣ କରି ଏକ ବିରାଟ କଳା ସାମ୍ରାଜ୍ୟ ସ୍ଥାପନ କରିଛି ରାଜୁ। ଏଥିରେ ଅନେକ ବନବିଭାଗ ଅଧିକାରୀ ମାନଙ୍କ ପ୍ରତ୍ୟକ୍ଷ ସହଯୋଗ ରହିଥିଲା।

ରାଜୁ ସାହୁ ବେଆଇନ ଭାବରେ ରତ୍ନ ପଥର ଖନନ କରି ରାଜ୍ୟ ବାହାରେ କଳା ବଜାରରେ ବିକ୍ରି କରି କୋଟି କୋଟି ଟଙ୍କା ରୋଜଗାର କରୁଥିବା ବେଳେ ସମସ୍ତ ଅର୍ଥ ନିଜ ସମ୍ପର୍କୀୟଙ୍କ ଦ୍ଵାରା ବ୍ୟବସାୟ କରିବା ପାଇଁ ଯୋଗାଇ ଦେଇ ଆସୁଥିଲା। ନିକଟ ଅତୀତରେ ଏକ ରତ୍ନ ପଥରକୁ ଖଣି ମାଫିଆ ରାଜୁ ସାହୁ ୪୦ ଲକ୍ଷରେ ବିକ୍ରି କରିଥିବା ବେଳେ ସମସ୍ତ ଅର୍ଥକୁ ନିଜ ସମ୍ପର୍କୀୟଙ୍କ ବ୍ୟବସାୟରେ ବିନିଯୋଗ କରିଥିବା ମଧ୍ୟ ଚର୍ଚ୍ଚାର ବିଷୟ ସାଜିଛି।

ଗତ ୨୨ ତାରିଖ ଦିନ ରତ୍ନ ପଥର ଚୋରା କାରବାର ପାଇଁ ଗୁଲମୀ ନିକଟସ୍ଥ ତିଖାଳି ସଂରକ୍ଷିତ ଜଙ୍ଗଲ ଭିତରେ ଥିବା ଭାଲୁ ଡୁଙ୍ଗୁରିରୁ ରତ୍ନ ପଥର ଚୋରା କାରବାର ପାଇଁ ଗାତ ଖନନ କରୁଥିବା ବେଳେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଏହି ମୃତ୍ୟୁ ଘଟଣା ଲୋକ ଲୋଚନକୁ ଆସିବା ପରେ ଏବେ ଗୋଟିଏ ପରେ ଗୋଟିଏ କଳାକାରନାମାର ଗୁମର ଖୋଲୁଛି। ଦୁଇ ଶ୍ରମିକ ମୃତ୍ୟୁ ପରେ ଖଣି ମାଫିଆ ଶବ ଦୁଇଟିର ମୂଲଚାଲ ଆରମ୍ଭ କରିଥିଲା। ମୃତକଙ୍କ ପରିବାରକୁ ଦେଢ଼ ଲକ୍ଷ ଟଙ୍କା ଦେଇ ଘଟଣାକୁ ଚାପିବାକୁ ଉଦ୍ୟମ କରିବା ସହ ମୃତକଙ୍କ ପରିବାର ଉପରେ ଚାପ ପ୍ରୟୋଗ କରିବାକୁବି ପଛାଇ ନଥିଲା ରାଜୁ ସାହୁ। ଘଟଣାସ୍ଥଳରେ ରତ୍ନ ପଥର ମାଫିଆ ସହ କିଛି ବନ କର୍ମଚାରୀ ମଧ୍ୟ ଉପସ୍ଥିତ ରହି ଘଟଣାକୁ ପ୍ରଘଟ ନକରିବା ପାଇଁ ସେଠାରେ ଉପସ୍ଥିତ ଅନ୍ୟ ଶ୍ରମିକ ମାନଙ୍କୁ କହିଥିବା ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

ଘଟଣାସ୍ଥଳକୁ ଗଣମାଧ୍ୟମ ପ୍ରତିନିଧି ମାନେ ଆସୁଥିବା ଖବରପାଇ ରାଜୁ ସାହୁ ଚମ୍ପଟ ମାରିଥିଲା। ପୁଲିସ ତାର ମୋବାଇଲକୁ ଟ୍ରାକ କରୁଥିବା ଜାଣିପାରି ରାଜୁ ବେଲଗାଁ ପାଖରେ ନିଜ ମୋବାଇଲକୁ ସ୍ବିଚ୍ ଅଫ୍ କରିବା ଯୋଗୁଁ ପୁଲିସ ବେଲଗାଁ ଠାରୁ ଖାଲି ହାତରେ ଫେରିଥିଲା। ଏପରିକି ନିଜ ପରିବାରକୁ ମଧ୍ୟ ଗୁଲମୀ ଗାଁ’ରୁ ନେଇ କଳାହାଣ୍ଡି ଜିଲ୍ଲା କଷୁର୍ଲାରେ ନିଜ ଅନ୍ୟ ଏକ ସମ୍ପର୍କୀୟ ଘରେ ରଖିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଉଠିଛି।

ଘଟଣାପରେ ବନବିଭାଗ ନିଜେ ରତ୍ନ ପଥର ମାଫିଆ ରାଜୁ ସାହୁ ବିରୋଧରେ ଏକ ମାମଲା ରୁଜୁ କରିଥିବା ବେଳେ ରାଜୁ କୁ ଗିରଫ କରିବା ନେଇ ଚଢ଼ାଉ ଜାରି ରହିଥିବା ବନ ବିଭାଗ ଏସିଏଫ୍ ପ୍ରକାଶ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ପ୍ରତି ବନବିଭାଗର ଅହେତୁକ ଅନୁକମ୍ପା ରହିଥିବା ନେଇ ସହର ମଧ୍ୟରେ ଚର୍ଚ୍ଚା ଉଠିଛି। ତେବେ ବେଆଇନ ରତ୍ନ ପଥର ଉତ୍ତୋଳନ ପରେ ବର୍ତ୍ତମାନ ୮ଟି ଦେଶୀ ବନ୍ଧୁକ ଓ ବେଆଇନ ବିସ୍ପୋରକ ସାମଗ୍ରୀ ସହ ଧରଣୀ ଚନ୍ଦନ, ପୁରନ୍ଦର ଧରୁଆ, ଦେବାର୍ଚ୍ଚନ ଧରୁଆ ଓ ସାଧୁ ଧାରୁଆ ନାମକ ୪ ଜଣ ବନ୍ୟଜନ୍ତୁ ଶିକାରୀ ଗିରଫ ହୋଇ କୋର୍ଟ ଚାଲାଣ ହେବା ଘଟଣା ଏଇ ସଂରକ୍ଷିତ ଜଙ୍ଗଲର ସଂରକ୍ଷଣ ଦାୟିତ୍ବରେ ଥିବା ବନ ବିଭାଗର ଭୂମିକାକୁ କାଠଗଡାରେ ଠିଆ କରାଇଛି।