ଶିମିଳିପାଳ ସାଉଥରେ ୩୬ ଓ ନର୍ଥରେ ୧୦ଟି ସ୍ଥାନରେ ନିଆଁ ଜଳୁଛି

ବାରିପଦା,ଏନ୍ଏନ୍ଏସ୍: ଏବେ ମଧ୍ୟ ଶିମିଳିପାଳ ଅଭୟାରଣ୍ୟ ଜଳୁଛି। ଶିମିଳିପାଳ ସାଉଥ ଅଞ୍ଚଳରେ ଥିବା ଡ଼ୁକୁରା ୱାଇଲ୍ଡ ଲାଇଫ ଅଧୀନ ତଳଡିହା ଓ ଫୁଲବାଡ଼ିଆ ଅଞ୍ଚଳରେ ୧୦ଟି ସ୍ପଟ, ଜେନାବିଲ ୱାଇଲ୍ଡ ଲାଇଫ ଅଧୀନ କୁଳିପାଳ ଓ ଟିକତାଳି ଅଞ୍ଚଳର ୭ଟି ସ୍ପଟ୍ , ନେସନାଲ ପାର୍କ ୱାଇଲ୍ଡ ଲାଇଫ ଅଧୀନ ନୂଆଗାଁ ଅଞ୍ଚଳର ୧ଟି ସ୍ପଟ୍, ନଅଣା ସାଉଥ ୱାଇଲ୍ଡ ଲାଇଫର ବକୁଆ ଓ ଧୁଡ଼ୁରୁଚମ୍ପା ଅଞ୍ଚଳର ୨ଟି ସ୍ପଟ୍, ପିଠାବଟା ୱାଇଲ୍ଡ ଲାଇଫ୍ ସାଉଥ ଅଧୀନ ଅନେ୍ଧରିତୋଟା, ପିଠାବଟା, କଚୁଦହନ ଅଞ୍ଚଳର ୧୩ଟି ସ୍ପଟ୍ , ପିଠାବଟା ନର୍ଥ ୱାଇଲ୍ଡ ଲାଇଫ୍ ଅଧୀନ ବଡ଼ଗାଁ ଅଞ୍ଚଳର ୨ଟି ସ୍ପଟ୍ ଏବଂ ଶିମିଳିପାଳ ନର୍ଥ ୱାଇଲ୍ଡ ଲାଇଫ ଅଧୀନ କେନ୍ଦୁମୁଣ୍ଡି ଅଞ୍ଚଳ ରାଣିପାଟ ଅଞ୍ଚଳ କିଆଝରୀରେ ୯ଟି ସ୍ପଟ୍ ଏବଂ ଚହଲା ୱାଇଲ୍ଡ ଲାଇଫ ଅଞ୍ଚଳ କରକଚିଆରେ ଗୋଟିଏ ସ୍ପଟରେ ଏହିପରି ମୋଟ ୪୬ଟି ସ୍ଥାନରେ ନିଆଁ ଜଳୁଥିବାର ଜଣାପଡ଼ିଛି। ତେବେ ଶିମିଳିପାଳରେ ନିଆଁ ଜଳୁଥିବା ବିଷୟରେ ସତ୍ୟାସତ୍ୟ ଜାଣିବା ଏବଂ ନିଆଁକୁ ଲିଭାଇବା ନିମନ୍ତେ କେଉଁ ପଦକ୍ଷେପ ଗ୍ରହଣ କରାଯାଇଛି ସେନେଇ ଡିଡି ଏସଟିଆର ଶ୍ରୀପତିଙ୍କ ସହିତ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା। ତେବେ ଶିମିଳିପାଳ କୋର ଅଞ୍ଚଳ ଭିତରେ ଜନବସତି ନ ଥିବା ସାଙ୍ଗକୁ ସାଧାରଣ ଜନତାଙ୍କ ପ୍ରବେଶ ନିଷେଧ କରାଯାଇଥିବା ବେଳେ ୪୬ଟି ସ୍ଥାନରେ ନିଆଁ ଲାଗିବା ଭିନ୍ନ ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରାଉଛି। ମହାବିଷୁବ ସଂକ୍ରାନ୍ତି ପୂର୍ବରୁ ଶତାଧିକ ଶିକାରି ଅଖଣ୍ଡ ଶିକାର କରିବା ନିମନ୍ତେ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ପ୍ରବେଶ କରୁଥିବାର ନଜିର ରହିଛି। ଶିମିଳିପାଳ ଅଭୟାରଣ୍ୟରେ ବଳିଆ କୁକୁର ବିଲୁପ୍ତ ପ୍ରାୟ ହୋଇ ସାରିଥିବା ବେଳେ ବାଘ ସଂଖ୍ୟା ଦୃତ ଭାବେ ହ୍ରାସ ପାଇବା ସାଙ୍ଗକୁ ଜୀବଜନ୍ତୁଙ୍କ ସଂଖ୍ୟା ମଧ୍ୟ କମିଯାଇଛି।