ପ୍ରଥମଥର ପାଇଁ ମିଡିଆ ସାମ୍ନାକୁ ଆସିଲେ ଶ୍ରଦ୍ଧାଙ୍କ ପିତା

ନୂଆଦିଲ୍ଲୀ: ଦିଲ୍ଲୀର ବହୁଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ମାମଲାରେ ଦିନକୁଦିନ ଅନେକ ତଥ୍ୟ ଉପରୁ ପରଦା ଉଠୁଛି । ଏହି ପରିପ୍ରେକ୍ଷୀରେ ଆଜି ଶ୍ରଦ୍ଧାଙ୍କ ପିତା ବିକାଶ ୱାକର ମହାରାଷ୍ଟ୍ର  ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ଭେଟିବା ପରେ ଗଣମାଧ୍ୟମ ସହ ମଧ୍ୟ ଆଲୋଚନା କରିଛନ୍ତି । ବିକାଶ ୱାକର କହିଛନ୍ତି ଯେ, ଶ୍ରଦ୍ଧାଙ୍କ ମୃତ୍ୟୁ ପରେ ଆମ ପୁରା ପରିବାର ଦୁଃଖୀ ଅଛି । ଝିଅ ହତ୍ୟା ଯୋଗୁ ମୋ ମନୋସ୍ଥିତି ମଧ୍ୟ ଭଲ ନାହିଁ । ନ୍ୟାୟ ମିଳିବ ବୋଲି ଦିଲ୍ଲୀ ପୁଲିସ ଭରସା ଦେଇଛି । ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ମଧ୍ୟ ଆମକୁ ଆଶ୍ୱାସନା ଦେଇଛନ୍ତି । ପୁଲିସ ବିଭାଗର କିଛି ଅଧିକାରୀଙ୍କଠାରୁ ସହଯୋଗ ନ ମିଳିବା ମୋତେ ବ୍ୟଥିତ କରିଛି । ଆମେ ଯଥାସମ୍ଭବ ପୁଲିସକୁ ସହଯୋଗ କରୁଛୁ ।

ଶ୍ରଦ୍ଧାଙ୍କ ପିତା ବିକାଶ ୱାକର ଆହୁରି କହିଛନ୍ତି ଯେ, ଅଫତାବ ପୁନାୱାଲା ଯେପରି ନୃଶଂସ ଭାବେ ମୋ ଝିଅର ହତ୍ୟା କରିଛି ତାକୁ ଫାସି ମିଳିବା ଉଚିତ । ଏହି ମାମଲାର ଯାଞ୍ଚ ଭଲଭାବେ କରାଯାଇ କିଏ ଅଫତାବକୁ ଏହି ଶିକ୍ଷା ଦେଇଛି ତାହା ସାମ୍ନାକୁ ଅଣାଯାଉ ।