ପ୍ରମିଳାଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଶାସକ ଦଳର ମୁଖ୍ୟ ସଚେତକ ତଥା ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ଭୋଟ୍ ଦେବା ପାଇଁ ‘ପ୍ରଲୋଭିତ ବୟାନ’ ମହଙ୍ଗା ପଡ଼ିଛି। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ଯାଜପୁର ଜିଲ୍ଲାପାଳ ଏହାର ତଦନ୍ତ କରି ରିପୋର୍ଟ ଦେବା ପରେ ରାଜ୍ୟ ନିର୍ବାଚନ କମିଶନ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସ୍ପଷ୍ଟ କରିଛନ୍ତି।

ଗୁରୁବାର ବିଧାୟିକା ଶ୍ରୀମତି ମଲ୍ଲିକ ବିଂଝାରପୁର ଥାନା ଅଧିନସ୍ଥ ଅଳକୁଣ୍ଡ ଅଞ୍ଚଳରେ ଆୟୋଜିତ ଏକ ରାଜନୈତିକ ସଭାରେ ବିଜେଡିକୁ ଭୋଟ୍ ଦେବା ପାଇଁ ଉପସ୍ଥିତ ଲୋକଙ୍କୁ ଅନୁରୋଧ କରିଥିଲେ। ତେବେ ଅନ୍ୟଦଳର ପ୍ରାର୍ଥୀଙ୍କୁ ଭୋଟ ଦେଲେ ବାର୍ଦ୍ଧକ୍ୟ ଭତ୍ତା, ରାସନ କାର୍ଡ, ଆଧାର କାର୍ଡ଼ ଆଦି କଟିଯାଇପାରେ। ସେ ବିଷୟରେ ମୋତେ ଆଉ ପଚାରିବ ନାହିଁ ବୋଲି ବିଧାୟିକା ଲୋକଙ୍କୁ ରୋକଠୋକ୍ କହିଥିଲେ। ଏହି ଭିଡିଓଟି ‘ଭାଇରାଲ୍‌’ ହେବା ପରେ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଫଳରେ ରାଜ୍ୟ ନିର୍ବାଚନ ଆୟୋଗ ଏହାର ତଦନ୍ତ ଦାୟିତ୍ୱ ଯାଜପୁର ଜିଲ୍ଲାପାଳଙ୍କ ଉପରେ ନ୍ୟସ୍ତ କରିଥିଲେ।

ତଦନୁଯାୟୀ ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର ବିଂଝାରପୁର ନିର୍ବାଚନ ଅଧିକାରୀ ତଥା ବିଇଓଙ୍କ ଜରିଆରେ ଶ୍ରୀମତି ମଲ୍ଲିକଙ୍କୁ ନୋଟିସ୍ ଜାରି କରିଛନ୍ତି। ଏହାର ଉତ୍ତର ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସୁପାରିଶ କରାଯିବ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି।

ଅନ୍ୟପକ୍ଷରେ କାରଣ ଦର୍ଶାଅ ନୋଟିସ୍ ପାଇବା ପରେ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ମୁଁ କିଛି ଆଚରଣ ବିଧି ଉଲ୍ଲଘଂନ କରିନାହିଁ । କେବଳ ଦଳ ପାଇଁ ପ୍ରଚାର କରିଛି। ଜିଲ୍ଲାପାଳ ଯାହା ରିପୋର୍ଟ ମାଗିଛନ୍ତି ତାହା ଦେବି।