ଭୁବନେଶ୍ବର,ଏନ୍ଏନ୍ଏସ୍: ଗଛର ଚେର ଏବଂ ରସ ରୁ ପ୍ରସ୍ତୁତ ହେଉଛି କୋଟପାଡ଼ ଶାଢୀ, ଦୁପଟା, ଗାମୁଛା। ଏହି ଅର୍ଗାନିକ୍ ବସ୍ତ୍ର କିଣିବାକୁ ଜାତୀୟ ଆଦିବାସୀ ମେଳାରେ ଗ୍ରାହକଙ୍କ ଭିଡ । ଆଜିକାଲି ବସ୍ତ୍ର ତିଆରି ସମୟରେ କେମିକାଲର ବହୁଳ ବ୍ୟବହାର ହେଉଥିବା ବେଳେ କୋଟପାଡ ଶାଢୀରେ ବ୍ୟବହୃତ ହେଉଛି ଆଉଲ୍ ଗଛର ଚେରରୁ।
ପ୍ରଥମେ ଆଦିବାସୀ ମାନେ ଏହି ଗଛର ଚେର ସଂଗ୍ରହ କରି ଶୁଖାଇ ଛୋଟ ଛୋଟ କରି କାଟି ତାକୁ ପାଣିରେ ବତୁରାଇ ଥାଆନ୍ତି। ଏହା ପରେ ଗୋବର, ହଳଦି, ପାଉଁଶ ମିଶାଇ ତିଆରି କରିଥାନ୍ତି ଏହି ଜୈବିକ ବସ୍ତ୍ର। ଗୋଟିଏ ଶାଢୀ ତିଆରି କରିବାକୁ ୧୫ଦିନରୁ ଅଧିକ ଦିନ ଲାଗୁଥିବା ବେଳେ ଗୋଟିଏ ଓଢ଼ଣି ପାଇଁ ଲାଗୁଛି ୪ଦିନ। ଆଉ ଏହାର ଦାମ୍ ୭ହଜାରରୁ ଆରମ୍ଭ କରି ୨୦ ହଜାର ପର୍ଯ୍ୟନ୍ତ ରହିଛି। ଆଉ ଏହି ଜୈବିକ ବସ୍ତ୍ର ତିଆରି ପ୍ରଣାଳୀ ଦେଖିବାକୁ ରାଜଧାନୀବାସୀଙ୍କର ଆଗ୍ରହ ବଢୁଛି ବୋଲି କୋରାପୁଟରୁ ଆସିଥିବା ବ୍ୟବସାୟୀ ମିନକେତନ ଶିରା କହିଛନ୍ତି।
ଭୁବନେଶ୍ବରର ୟୁନିଟ୍-୩ ସ୍ଥିତ ଏକାମ୍ର ହାଟରେ ଆୟୋଜିତ ଏହି ଆଦିବାସୀ ମେଳା ପରିଚୟ ଫାଉଣ୍ଡେସନ ପକ୍ଷରୁ ୨୬ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ୪ତାରିଖ ପର୍ଯ୍ୟନ୍ତ ଚାଲିବ। ଯେଉଁଠି ଆଦିବାସୀ ମାନଙ୍କ ହାତ ତିଆରି ସାମଗ୍ରୀ, କଳାକୃତି ସ୍ଥାନ ପାଇଛି। ଯାହାକୁ ଦେଖିବା ପାଇଁ ମେଳାର ମଜା ନେବା ପାଇଁ ସନ୍ଧ୍ୟା ନଇଁଲେ ଗ୍ରାହକ ମାନେ ମେଳା ବୁଲିବା ସହିତ କୋଟପାଡ ବସ୍ତ୍ର ପାଇଁ ଦୋକାନ ମୁହାଁ ହେଉଛନ୍ତି।